ଅଚଳ ହେବନି କଂଗ୍ରେସର ଟ୍ୱିଟର ଆକାଉଣ୍ଟ, ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ଅଚଳ କରିବାକୁ ନିମ୍ନ ଅଦାଲତ ଦେଇଥିବା ନିର୍ଦ୍ଦେଶ ଉପରେ ଲାଗିଛି ରୋକ। ଏନେଇ ହୋଇଥିବା ଆବେଦନର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ନିମ୍ନ ଅଦଲାତ ଅଚଳ ପାଇଁ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି।

ତେବେ ସୋମବାର ବେଙ୍ଗାଲୁରୁର ଏକ କୋର୍ଟ କପି ରାଇଟ ଉଲ୍ଲଙ୍ଘନ ମାମଲାରେ କଂଗ୍ରେସ ଓ ଦଳର ଭାରତ ଯୋଡ଼ ଯାତ୍ରାର ପ୍ରଚାର ପାଇଁ ବ୍ୟବହାର ହେଉଥିବା ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ବିରୋଧରେ କଂଗ୍ରେସ ଦଳ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ତେବେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ବେଙ୍ଗାଲୁରୁ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି।ଏଥିସହ କଂଗ୍ରେସକୁ ସମସ୍ତ ପ୍ରକାରର କପି ରାଇଟ ବିଷୟବସ୍ତକୁ ନିଜର ଅଫିସିଆଲ ସୋଶାଲ ମିଡିଆ ପ୍ଲାଟଫର୍ମ ଯଥା-ଟ୍ୱିଟର, ଫେସବକୁ, ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରରୁ କାଲି ସୁଦ୍ଧା ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ସୁପର ହିଟ୍ ଫିଲ୍ମ କେଜିଏଫ-୨ର ମ୍ୟୁଜିକକୁ କଂଗ୍ରେସ ବିନା ଅନୁମତିରେ ବ୍ୟବହାର କରିଥିବାରୁ ଦଳ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା। ଏହାର ଶୁଣାଣି କରି ବେଙ୍ଗାଲୁରୁ କୋର୍ଟ କଂଗ୍ରେସ ଓ ଭାରତ ଯୋଡ଼ ଟ୍ୱିଟର ଆକାଉଣ୍ଟକୁ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏମଆରଟି ମ୍ୟୁଜିକର ଦାୟିତ୍ୱରେ ଥିବା ଏମ ନବୀନ କୁମାର ପ୍ରଥମେ ରାହୁଲ ଗାନ୍ଧିଙ୍କ ସମେତ ୩ କଂଗ୍ରେସ ନେତାଙ୍କ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲେ। ବିନା ଅନୁମତିରେ କଂଗ୍ରେସ ନେତାମାନେ ସୁପର ହିଟ୍ କନ୍ନଡ ଫିଲ୍ମ କେଜିଏଫ-୨ର ମ୍ୟୁଜିକ ଭିଡିଓ ଭାରତ ଯୋଡ଼ ଯାତ୍ରା ବେଳେ ବ୍ୟବହାର କରିଥିଲେ। କର୍ଣ୍ଣାଟକାରେ ଦଳ ପକ୍ଷରୁ ଭାରତ ଯୋଡ଼ ଯାତ୍ରା କରାଯାଉଥିବା ବେଳେ ଏପରି କାମ କରାଯାଇଥିବା ସେ ଅଭିଯୋଗ କରିଥିଲେ।

ମ୍ୟୁଜିକ କମ୍ପାନୀର ମ୍ୟାନେଜର ଅଭିଯୋଗ କରିଥିଲେ ଯେ ଭାରତ ଯୋଡ଼ ଯାତ୍ରାର ପ୍ରଚାର ଭିଡିଓରେ କେଜିଏଫ-୨ର ଗୀତ ରହିଛି। ବେଙ୍ଗାଲୁରୁର ଯଶବନ୍ତପୁର ପୁଲିସ୍ ଷ୍ଟେସନରେ ହୋଇଥିବା ଏଫଆଇଆରରେ କୁହାଯାଇଥିଲା ଯେ କଂଗ୍ରେସ ନେତା ଜୟରାମ ରମେଶ ଭାରତ ଯୋଡ଼ ଯାତ୍ରାର ୨ଟି ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ କେଜିଏଫ-୨ର ଦୁଇଟି ଲୋକପ୍ରିୟ ଗୀତକୁ ବିନା ଅନୁମତିରେ ଯୋଡ଼ା ଯାଇଥିଲା। ତେଣୁ ଏହା କପି ରାଇଟର ଉଲ୍ଲଙ୍ଘନ ବୋଲି ସେ କୋର୍ଟରେ ଦର୍ଶାଇଥିଲେ।

Related Posts