ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ନେତା ବାଛୁଛି ହିମାଚଳ । କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ । ସକାଳ ୮ଟାରୁ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସଂଧ୍ୟା ୫ଟା ଭୋଟର ମାନେ ନିଜ ମତଦାନ ସାବ୍ୟସ୍ତ କରିବେ । ରାଜ୍ୟର ପାଖାପାଖି ୫୬ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬୮ଟି ଆସନରେ ୪୧୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେବେ ।
ଭୋଟ ଗ୍ରହଣ ପାଇଁ ମୋଟ ୭ ହଜାର ୮୮୧ ପୋଲିଂ ବୁଥ୍ ପ୍ରସ୍ତୁତ ହୋଇ ରହିଛି । ସେଥିମଧ୍ୟରୁ ୭୮୯ ସମ୍ବେଦନଶୀଳ ଏବଂ ୩୯୭ଟି ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ନିର୍ବାଚନ ପାଇଁ ୧୪୨ଟି ପୋଲିଂ ବୁଥ ମଧ୍ୟ କରାଯାଇଥିଲା, ଯାହାର ପରିଚାଳନା ଦାୟିତ୍ୱ ତୁଲାଇବେ ଭିନ୍ନକ୍ଷମ କର୍ମଚାରୀ । ଏଥର ନିର୍ବାଚନ କମିସନ୍ ଭୋଟିଂକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଏବଂ ଭୋଟିଂ ହାର ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛି । ହିମାଚଳ ପ୍ରଦେଶରେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ୧ଲକ୍ଷ ୨୧ହଜାର ୪୦୯ ଜଣ ମତଦାତା ରହିଛନ୍ତି ।
ଏହି ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ।ରାଜ୍ୟ ବିଜେପି ମୁଖ୍ୟ ସତପାଲ ସିଂ ସାଟ୍ଟି ।
ନିର୍ବାଚନ ପୂର୍ବରୁ ସବୁ ଦଳ ମାଳମାଳ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁବାର ଥିଲା ପ୍ରଚାରର ଶେଷ ଦିନ । ଏଣୁ ବିଭିନ୍ନ ଦଳ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ,ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଚାରମଙ୍ଗ ସମ୍ଭାଳିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧି କ୍ୟାମ୍ପେନ କରିଥିଲେ । ଗତ ଦୁଇ ବର୍ଷରେ କଂଗ୍ରେସ ୯ଟି ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି । ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟି ଲଢୁଥିବାରୁ ଏଠାରେ ରୋକଚ ଲଢେଇ ଦେଖିବାକୁ ମିଳିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଡିସେମ୍ବର ୮ରେ ଭୋଟ ଗଣତି ହେବାସହ ଏହି ନିର୍ବାଚନର ଫଳ ଘୋଷଣା ହେବ । ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୬୮ଟି ଆସନରୁ ବିଜେପି ୪୪ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ୨୧ଟି ଆସନରେ ଜିତିଥିଲା। ସେହିପରି ସିପିଆଇ ଗୋଟିଏ ଆସନ ଏବଂ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।
