ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରିଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅଖିଳ ଗିରି । ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଆୟୋଜିତ ଗୋଟିଏ ଜନସଭାରେ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି କହି ମନ୍ତ୍ରୀ ଗିରି ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।
ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉଛୁ। ତେବେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଗିରି। ନନ୍ଦିଗ୍ରାମରୁ ଟିଏମସିରୁ ଯାଇ ବିଜେପି ଟିକେଟରେ ଜିତିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼। ସହିଦ ଦିବସରେ ନନ୍ଦିଗ୍ରାମରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମନ୍ତ୍ରୀ ଗିରି ଓ ଅନ୍ୟ ଟିଏମସି ନେତାମାନେ ଜନସଭା କରିଥିଲେ।
ଏଥିରେ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ ଯାଇ ଟିଏମସିର ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୂରା ବିବାଦ ମଧ୍ୟକୁ ଟାଣିଛନ୍ତି। ସେ ରାଷ୍ଟ୍ରପତିଙ୍କ ନାଁ ନ ନେଇ କହିଛନ୍ତି, “ସେ(ଶୁଭେନ୍ଦୁ ଅଧିକାରୀ) କହିଥିଲେ ମୁଁ(ଅଖିଳ ଗିରି) ଦେଖିବାକୁ ସୁନ୍ଦର ନୁହେଁ। ସେ କେତେ ସୁନ୍ଦର! ଆମେ ଲୋକଙ୍କୁ ସେମାନଙ୍କ ରୂପକୁ ଦେଖି ଜଜ୍ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉ। କିନ୍ତୁ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?”
ଏହାକୁ ନେଇ ଏବେ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ସମାଲୋଚନା ସହ ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି। ଅଖିଳ ଗିରିଙ୍କ ମନ୍ତବ୍ୟ ବେଳେ ମହିଳା କଳ୍ୟାଣ ମନ୍ତ୍ରୀ ଶଶି ପାନକା ଘଟଣାସ୍ତଳରେ ଉପସ୍ଥିତ ଥିଲେ। ମମତା ଆଦିବାସୀ ବିରୋଧୀ ବୋଲି ବିଜେପି କହିଛି।
ପୂର୍ବରୁ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ କ୍ଷମା ପ୍ରାର୍ଥନା କରିଥିଲେ।





