ପତ୍ନୀ ଥାଇ ମଧ୍ୟ ଆଉ ଜଣକୁ ବିବାହ କଲେ ରସିକିଆ କନଷ୍ଟେବଳ; ଏସପିଙ୍କ କାର୍ୟ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପତ୍ନୀ ଥାଇ ମଧ୍ୟ ଆଉ ଜଣକୁ ବିବାହ କଲେ ରସିକିଆ କନଷ୍ଟେବଳ । ଏ ସମ୍ପର୍କରେ ଥାନା ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ଅଧିକାରୀଙ୍କ ପର୍ୟ୍ୟନ୍ତ ଗୁହାରି ପରେ କେହି ଶୁଣୁନାହାନ୍ତି ଏହି ପ୍ରତାରିତ ମହିଳାଙ୍କ କଥା । ଶେଷରେ ଆଜି ବାଧ୍ୟ ହୋଇ କନେଷ୍ଟବଳଙ୍କ ପତ୍ନୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟକୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ ବେଳେ ଏସପିଙ୍କ କାର୍ୟ୍ୟାଳୟର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଏହି ମହିଳାଙ୍କର କୋଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଜଣଙ୍କ ଢେଙ୍କାନାଳ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ବର ସାହିର ଶୈଳବାଳା ସାମଲ ବୋଲି ଜଣାପଡିଛି ।

ଶୈଳବାଳାଙ୍କ ଅଭିଯୋଗ ମୁତାବକ ଗତ ୨୦୧୨ ମସିହାରେ ସେ ତାଙ୍କ ଗ୍ରାମର ପବିତ୍ର ନାୟକଙ୍କୁ ବିବାହ କରିଥିଲେ । ପବିତ୍ର ଢେଙ୍କାନାଳ ରିଜର୍ଭ ପୋଲିସର କନଷ୍ଟେବଳ ଭାବେ କାର୍ୟ୍ୟରତ । ପବିତ୍ର ତାଙ୍କୁ ନାନା ନିର୍ୟାତନା ଦେଇ ଘରୁ ବାହାର କରିଦେଇ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଜୀବନ ହରିବାକୁ ବାହାରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏ ସମ୍ପର୍କରେ ଜିଲ୍ଲା ପୋଲିସର କୌଣସି ଅଧିକାରୀ ପାଟି ଖୋଲୁ ନଥିଲେ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts