ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଏବଂ ରୁଷ୍ ମଧ୍ୟରେ ଐତିହାସିକ ସାମରିକ ଚୁକ୍ତି । ଏଣିକି ପରସ୍ପର ଦେଶରେ ଉଭୟ ମୁତୟନ କରିପାରିବେ ସୈନିକ । ତେବେ ଭାରତ ଏବଂ ରୁଷ୍ ପରସ୍ପର ଦେଶରେ ୩,୦୦୦ ସୈନିକଙ୍କ ସମେତ ୧୦ଟି ଲଢ଼ୁଆ ବିମାନ ଏବଂ ୫ଟି ଯୁଦ୍ଧପୋତ ମୁତୟନ କରିବା ନେଇ ରାଜି ହୋଇଛନ୍ତି । ରୁଷର ସ୍ପୁଟନିକ୍ ନ୍ୟୁଜ୍ ଏଜେନ୍ସି ଏହି ସୂଚନା ଦେଇଛି। ଏହାର ଅର୍ଥ ହେଉଛି ଏବେ ଭାରତରେ ରୁଷ୍ ସୈନିକ ମୁତୟନ ହେବେ ଏବଂ ରୁଷରେ ଭାରତୀୟ ସୈନିକଙ୍କୁ ମୁତୟନ କରାଯାଇପାରିବ। ଦଶନ୍ଧି ଦଶନ୍ଧି ଧରି ରହିଆସିଥିବା ଦୁଇ ରଣନୈତିକ ଭାଗିଦାରୀ ମଧ୍ୟରେ ଏହା ଏକ ଐତିହାସିକ ଚୁକ୍ତି। ରୁଷର ସରକାରୀ ଆଇନଗତ ସୂଚନା ପୋର୍ଟାଲରେ ଏହି ବ୍ୟବସ୍ଥା ସମ୍ପର୍କରେ ଏକ ଚୁକ୍ତିନାମା ପ୍ରକାଶ ପାଇଥିବା ସ୍ପୁଟନିକ୍ ଜଣାଇଛି। ସେପଟେ ଏହି ଚୁକ୍ତିନାମା ସାମରିକ ୟୁନିଟ୍, ନୌସେନା ଜାହାଜ ଏବଂ ଲଢ଼ୁଆ ବିମାନଗୁଡ଼ିକର ପାରସ୍ପରିକ ମୁତୟନ ନିୟମର ରୂପରେଖ ପ୍ରସ୍ତୁତ କରୁଛି। ଉଭୟ ଦେଶର ସେନା ପାଇଁ ଲଜିଷ୍ଟିକ୍, ବୈଷୟିକ ଏବଂ ଅପରେସନାଲ୍ ସହାୟତା ମଧ୍ୟ ଏଥିରେ ସାମିଲ ଅଛି। ଯଦିଓ ଏହି ଚୁକ୍ତି ଆନୁଷ୍ଠାନିକ ଭାବେ ୧୨ ଜାନୁଆରୀ ୨୦୨୬ ରୁ କାର୍ଯ୍ୟକାରୀ ହୋଇସାରିଥିଲା, କିନ୍ତୁ ଆଜି ଅର୍ଥାତ୍ ୧୮ ଏପ୍ରିଲ ୨୦୨୬ ରେ ରୁଷର ସରକାରୀ ଆଇନଗତ ପୋର୍ଟାଲରେ ଏହାର ସମସ୍ତ ଦସ୍ତାବିଜ୍ ପ୍ରକାଶ ପାଇଛି। ଫଳରେ ଏହି ଚୁକ୍ତିନାମାର ସୀମା ଏବଂ ନିୟମାବଳୀ ଏବେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।
