ହକି ଇଣ୍ଡିଆର ସଭାପତି ନିର୍ବାଚନ; ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ। ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହେବ ହକି ଇଣ୍ଡିଆର ସଭାପତି ପଦ ପାଇଁ ନିର୍ବାଚନ। ଆଜି ଏଥି ନିମନ୍ତେ ନାମାଙ୍କନ ଭରିଥିବା ନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଦିଲୀପ ତିର୍କୀ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ପୂର୍ବରୁ ଅନେକ ରେକର୍ଡ କରିଛନ୍ତି ଦିଲୀପ। ତେଣୁ ତାଙ୍କ ନାମାଙ୍କନକୁ ନେଇ ଏବେ ଅଲୋଚନା ଜୋର ଧରିଛି।

ଏନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ଶେଷ ତାରିଖରେ ମୁଁ ନାମାଙ୍କନ କରିଛି। ହକି ଇଣ୍ଡିଆର ସଭାପତି ହେଲେ ସେ ଭାରତୀୟ ହକିକୁ ଅଧିକ ମଜଭୂତ କରିବେ। ବିଶ୍ୱରେ ଭାରତୀୟ ହକି ଦଳକୁ ଆଗକୁ ନେବାକୁ ପ୍ରୟାଶ କରିବେ। ଜୁନିଅର ଓ ସବ୍‌ଜୁନିଅର ହକି ଦଳର ପ୍ରଶିକ୍ଷଣକୁ ଅଧିକ ମଜଭୂତ କରିବେ। ସିନିୟର ପୁରୁଷ ଓ ମହିଳା ଟିମ୍‌ର ପ୍ରଦର୍ଶନ ଅଧିକ ଭଲ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୪୪ ବର୍ଷିୟ ଦିଲ୍ଲୀପ ଏବେ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଅଛନ୍ତି। ତେଣୁ ଗୋଟିଏ ପାଦ ଆଗକୁ ଯାଇ ସେ ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି।

Related Posts