ହକି ଓଡ଼ିଶା ଥାଉ ଥାଉ ରାଜ୍ୟ ସରକାର ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ୍‌ ନୁହେଁ: ହକି ଓଡ଼ିଶା ସମ୍ପାଦକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ହେବ ଓଡ଼ିଶା। ଗତ କିଛିଦିନ ତଳେ ଏ ସମ୍ପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା ଓଡ଼ିଶା । ଏବେ ୨୦୨୩ ପରେ ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ହକି ଇଣ୍ଡିଆକୁ ରାଜ୍ୟ ସରକାର ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ହକି ଓଡ଼ିଶାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି। ଏଭଳି ଅଭିଯୋଗ କରିଛନ୍ତି ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ। ସେ ଏ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। 

ଅଭିଯୋଗ ହେଉଛି ଯେ, ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ଯେ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ ଏବଂ ଏଥିପାଇଁ କେବଳ ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ପକ୍ଷରୁ ଆରୋପ ଲଗାଯାଇଛି। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହକି ଓଡ଼ିଶାର ସାଧାରଣ ପରିଷଦ ବୈଠକରେ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ଏ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରତାପ ଶତପଥୀ କହିଛନ୍ତି ଯେ , ରାଜ୍ୟ ହକି ସଂଘ ଥାଉ ଥାଉ ଓଡିଶା ସରକାର ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ ନୁହେଁ। ସେ କହିଛନ୍ତି ଯେ, ହକି ଓଡ଼ିଶା ହେଉଛି ଓଡ଼ିଶାର ଅର୍ଗାନାଇଜେସନ୍‌ ଏବଂ ଏହି ଅର୍ଗାନାଇଜେସନ୍‌ ଓଡ଼ିଶାର ବିକାଶ ପାଇଁ ହିଁ କାମ କରୁଛି। ତେଣୁ ହକି ଓଡ଼ିଶାକୁ ଅଣଦେଖା କରିବା ଅର୍ଥ ହେଉଛି ହକିକୁ ଅଣଦେଖା କରିବା ବୋଲି ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ , ପୂର୍ବରୁ ଲୋଧା କମିଟି ମଧ୍ୟ କହିଛି ଯେ , କୌଣସି କ୍ରୀଡାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିବ ନାହିଁ। ଅଲିମ୍ପିକ ଗାଇଡଲାଇନରେ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି।’ କିନ୍ତୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ନେଇ ହକି ଓଡ଼ିଶା ଅଭିଯୋଗ ଆଣିଛି। ସେ ପ୍ରଶ୍ନ କରିଛନ୍ତି ଯେ, ସରକାର ଯଦି ସବୁ କିଛି କରନ୍ତି ତେବେ ଆସୋସିଏସନର କଣ କାମ ? ତେବେ ଏହି ଖବର ଲେଖାଯିବା ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଏହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ସେହି ସମୟରେ ହକିର ହାତ ଧରିଥିଲେ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା।

Related Posts