ହକି ବିଶ୍ବକପ୍‌; ସବୁ ଜିଲ୍ଲାରେ ପାଳନ ହେବ ଉତ୍ସବ, ମ୍ୟାଚ୍ ଟିକେଟ ଥିଲେ ମୋ ବସ୍ ରେ ମାଗଣା ଯାତ୍ରା

ଭୁବନେଶ୍ୱର,୧୪/୧୨(ସତ୍ୟପାଠ ବ୍ୟୁରୋ): ୨୦୨୩ ପୁରୁଷ ହକି ବିଶ୍ବକପ୍‌କୁ ଆଉ ମାତ୍ର କିଛି ସପ୍ତାହ ବାକି ଥିବାରୁ ଏହାର ପ୍ରସ୍ତୁତି ନେଇ ମଙ୍ଗଳବାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିତ ସମୀକ୍ଷା କରାଯାଇଛି। ଏହି କ୍ରୀଡ଼ା ମହାକୁମ୍ଭକୁ ସଫଳତାର ସହ ଆୟୋଜନ କରିବା ନେଇ କେଉଁ କେଉଁ ବିଭାଗ କ’ଣ କ’ଣ ପଦକ୍ଷେପ ନେଲେଣି ସେନେଇ ବିସ୍ତୃତ ଆଲୋଚନା ହୋଇଛି। ଏହାସହ ନିଷ୍ପତ୍ତି ହୋଇଛି ଯେ ସବୁ ଜିଲ୍ଲାରେ ସ୍କୁଲ, କଲେଜ ଓ ସ୍ଥାନୀୟ ଲୋକଙ୍କୁ ସାମିଲ୍ କରି ଧୁମ୍‌ଧାମ୍‌ରେ ହକି ବିଶ୍ବକପ୍‌ ଆୟୋଜନ କରାଯିବ।

ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌ର ନିର୍ମାଣ ଶେଷ କରିବା, ଖେଳାଳି ଏବଂ କର୍ମକର୍ତ୍ତାଙ୍କର ଭୁବନେଶ୍ବରରୁ ରାଉରକେଲା ମଧ୍ୟରେ ଯାତାୟାତ, ଲୋକଙ୍କ ମଧ୍ୟରେ ହକି ବିଶ୍ବକପ୍‌ ନେଇ ପ୍ରଚାରପ୍ରସାର, ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତା, ଟ୍ରାଫିକ୍‌ ଓ ଭିଡ଼ ପରିଚାଳନା, ହସ୍ପିଟାଲ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଏହାସହ କୁହାଯାଇଥିଲା ଯେ ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ହକି ବିଶ୍ବକପ୍ ପାଇଁ ୭୫ କୋଟି ଟଙ୍କା ଆବଣ୍ଟନ ହୋଇଛି। ସେହିପରି ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ନିକଟରେ ପୁନଃ ବିଛା ଯାଇଥିବା ଦୁଇଟି ଟର୍ଫ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଛା ଯାଇଥିବା ଦୁଇଟି ଟର୍ଫକୁ ଯାଞ୍ଚ କରି ଏଫ୍‌ଆଇଏଚ୍‌ ସାର୍ଟିଫାଏ କରିଛି। ଏହାସହ ଷ୍ଟାଡିୟମରେ ଲାଇଟିଂ ବ୍ୟବସ୍ଥା ଠିକ୍ ଅଛି ବୋଲି ସାର୍ଟିଫାଏ କରିଛି।

ବୈଠକରୁ ଜଣାପଡ଼ିଛି ଯେ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ଯାତାୟାତ ପାଇଁ ଖେଳାଳିମାନେ ସ୍ବତନ୍ତ୍ର ବିମାନ ବ୍ୟବହାର କରିବେ। ଖୁବ୍‌ଶୀଘ୍ର ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ବ୍ୟାବସାୟିକ ବିମାନ ଚଳାଚଳ କରିବ। ତେବେ ଜାନୁଆରିରୁ ରାଉରକେଲାରେ ମୋ’ ବସ୍‌ ସେବା ଆରମ୍ଭ ହେବ। ହକି ମ୍ୟାଚ୍‌ ଦିନ ମ୍ୟାଚର ଟିକେଟ୍ କରିଥିବା ଦର୍ଶକଙ୍କୁ ମାଗଣାରେ ମୋ’ ବସ୍‌ରେ ଯାତ୍ରା କରିବାକୁ ଅନୁମତି ମିଳିବ। ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ସବୁପ୍ରକାରର ବନ୍ଦୋବସ୍ତ କରିବାକୁ କୁହାଯାଇଛି। ବିଶ୍ବକପ୍‌ ପାଇଁ କଟକରେ ଜାନୁଆରି ୧୧ରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ବୈଠକରେ ସୂଚନା ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନି‌େର୍ଦ୍ଦଶ ଅନୁଯାୟୀ, ସମସ୍ତ ଜିଲ୍ଲାରେ ସ୍କୁଲ କଲେଜ ଓ ସ୍ଥାନୀୟ ଲୋକଙ୍କୁ ସାମିଲ୍ କରି ଧୁମ୍‌ଧାମ୍‌ର ସହ ହକି ବିଶ୍ବକପ୍‌ ଆୟୋଜନକୁ ପାଳନ କରାଯିବ। ସବୁଠୁ ଭଲ ସେଲିବ୍ରେସନ୍ କରିବାକୁ ଥିବା ‌ଜିଲ୍ଲାକୁ ପୁରସ୍କୃତ କରାଯିବ। ଜିଲ୍ଲା ଏବଂ ସହରସ୍ତରରେ କିପରି ବିଭିନ୍ନ ଫେଷ୍ଟିଭାଲ୍ ଆୟୋଜନ କରିହେବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲା। ଟ୍ରଫି ଟୁର୍‌ ଯେପରି ସବୁ ଜିଲ୍ଲାକୁ ଯିବ ତାହା ମଧ୍ୟ ନିଶ୍ଚିତ କରିବାକୁ ବୈଠକରେ କୁହାଯାଇଛି।

Related Posts