ଭୋପାଳ: ଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କରୋନା କବଳିତ କରି ରଖିଥିବା ବେଳେ,ଏ ଏହାରି ମଧ୍ୟରେ ଅନେକ ଶିଶୁ ବାପା ମା ଛେଉଣ୍ଡ ହୋଇପଡିଛନ୍ତି | ମହାମାରୀ କରୋନା ବାପାମା’ଙ୍କୁ ତାଙ୍କ ଠାରୁ ଛଡ଼ାଇ ନେଇଯାଇଛି | ଫଳରେ ଦୁନିଆରେ ଏକା ହୋଇପଡିଛନ୍ତି ଛୁଆ | ନିଜର ବୋଲି କେହି ନ ଥିବା ବେଳେ ମାମୁ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ଅନାଥ ଛୁଆ। ନିଜେ ବଞ୍ଚିବାର ରାହା ପାଇପାରୁ ନ ଥିବା ଭାଇଭଉଣୀଙ୍କ ମୁଣ୍ଡ ଉପରେ ଏବେ ଲଦି ହୋଇଛି ହୋମ୍ ଲୋନ୍ ବୋଝ। ବାପା ସିନା ଚାଲିଗଲେ, ହେଲେ ଘର କରିବା ପାଇଁ ବାପା ଯେଉଁ ଲୋନ୍ କରିଥିଲେ ତାକୁ ପଇଠ କରିବାକୁ ଏବେ ଏହି କଅଁଳ ଭାଇଭଉଣୀଙ୍କ ପାଖକୁ LIC ପଠାଉଛି ନୋଟିସ ପରେ ନୋଟିସ୍। ନିଜେ କିପରି ଚଳିବେ, ଲୋନ କିପରି ଶୁଝିବେ ଏନେଇ କୁନି କୁନି ଭାଇ ଭଉଣୀଙ୍କୁ କିଛି ବୁଦ୍ଧିବାଟ ଦିଶୁ ନ ଥିବା ବେଳେ ସାହା ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଗତବର୍ଷ ଏହି ଶିଶୁଦ୍ୱୟ କୋଭିଡରେ ନିଜ ପିତାମାତାଙ୍କୁ ହରାଇ ଏବେ ମାମୁ ଘରେ ଆଶ୍ରୟ ନେଉଛନ୍ତି। ନିଜ ବାପାମା’ଙ୍କୁ ହରାଇବାର ଦୁଃଖ ସତ୍ତ୍ୱେ ୧୭ ବର୍ଷୀୟା ନାବାଳିକା ବୋର୍ଡ ପରୀକ୍ଷାରେ ୯୯.୮% ମାର୍କ ରଖିଛି। ଉଭୟ ଭାଇଭଉଣୀ ଏବେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ପାଇଁ ବୋଝ ଉପରେ ନଳିତ ବିଡ଼ା ସଦୃଶ ହୋଇଛି LIC ନୋଟିସ।
ଶିଶୁଦ୍ୱୟଙ୍କ ପିତା ବଞ୍ଚିଥିବା ବେଳେ ଘର କରିବା ନିମନ୍ତେ କରିଥିବା ହୋମ୍ ଲୋନ ଶୁଝିବାକୁ ଏବେ ଝିଅ ପାଖକୁ ଆସୁଛି ନୋଟିସ। ଲକ୍ଷ ଲକ୍ଷ ଟଙ୍କା କିପରି ଶୁଝିବେ ସେହି ଚିନ୍ତାରେ ଭାଇଭଉଣୀଙ୍କୁ ନିଦ ହେଉନି। ଏପରିକି ସେମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ନିଜ ପାଠପଢ଼ାରେ ଧ୍ୟାନ ଦେଇ ପାରୁ ନାହାନ୍ତି।
ଏହି ଘଟଣା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅବଗତ ହେବା ପରେ LICକୁ ଟ୍ୱିଟ କରି ରିପୋର୍ଟ ମାଗିଛନ୍ତି। କିନ୍ତୁ LIC ଅଧିକାରୀମାନେ ସମ୍ପୃକ୍ତ ନାବାଳିକାଙ୍କୁ ନୋଟିସରୁ କେବଳ ଆଠ ମାସର ରିହାତି ଦେବାକୁ ପ୍ରତିଶୃତି ଦେଇଛନ୍ତି।
ଭୋପାଳରେ ନିଜ ମାମୁ ପ୍ରଫେସର ଅଶୋକ ଶର୍ମାଙ୍କ ନିକଟରେ ଅନାଥ ଭାଇଭଉଣୀ ରହୁଥିବା ବେଳେ ସେଠାରେ ସେମାନଙ୍କୁ LIC ଅଧିକାରୀ ଭେଟି ଆଲୋଚନା କରିଛନ୍ତି। ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ LIC ପକ୍ଷରୁ ଲୋନ୍ ଶୁଝିବା ନିମନ୍ତେ କୌଣସି ନୋଟିସ ଯିବ ନାହିଁ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ମଧ୍ୟରେ ନାବାଳିକା ଜଣକ ୧୮ ବର୍ଷ ଅତିକ୍ରମ କରି ସାରିଥିବ। ହେଲେ ଏହା ପରେ ସେ କିପରି ଲୋନ୍ ଶୁଝିବେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହସ୍ତକ୍ଷେପ ଯୋଗୁ ଏପରି ସମ୍ଭବ ହୋଇପାରିଥିବାରୁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ନାବାଳିକାଙ୍କ ମାମୁ।
ସେପଟେ ଏହି ଖବର ପ୍ରଚାର ହେବା ପରଠୁ ଏବେ ନାବାଳିକାଙ୍କ ନିକଟକୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଆଡ଼ୁ ଫୋନ୍ କଲ୍ ଆସୁଛି। ଅନେକ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବା ନେଇ ପ୍ରତିଶୃତି ଦେଉଛନ୍ତି |





