ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସୁରକ୍ଷାରେ ତୃଟି; ହାଇଦ୍ରାବାଦରେ ଶାହାଙ୍କ ଗାଡ଼ି ଆଗରେ ଗାଡ଼ି ରଖିଦେଲେ ଟିଆରଏସ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇଦ୍ରାବାଦ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସୁରକ୍ଷାରେ ଆଜି ତୃଟି ଦେଖିବାକୁ ମିଳିଛି । ଗୃହମନ୍ତ୍ରୀଙ୍କ ରାଲି ଚାଲିଥିବା ସମୟରେ ତାଙ୍କ ଗାଡି ଆଗରେ ତେଲେଙ୍ଗାନା ଟିଆରଏସର ଜେଣେ ନେତା କାର ରଖିଦେବାରୁ ଏହାକୁ ନେଇ ବଡ ହଙ୍ଗାମା ସୃଷ୍ଟି ହୋଇଛି । ସୁରକ୍ଷାକର୍ମୀଙ୍କ ତରଫରୁ ଟିଆରଏସ ନେତା ଶ୍ରୀନିବାସ ଯାଦବଙ୍କ କାରକୁ ଜୋର ଜବରଦସ୍ତ ହଟାଇ ଦିଆଯାଇଛି ।ଏନେଇ ଶ୍ରୀନିବାସ କହିଛନ୍ତି ଯେ, ସେ ଟେନସନରେ ଥିବାରୁ ଜାଣି ନପାରି ଗୃହମନ୍ତ୍ରୀଙ୍କ ଗାଡି ଆଗରେ ଗାଡି ରଖି ଦେଇଥିଲେ । ହେଲେ ପୋଲିସ କର୍ମୀମାନେ ଶ୍ରୀନିବାସଙ୍କୁ ନିଜ ହେପାଜତକୁ ନେଇଛନ୍ତି । ଅନ୍ୟପଟେ ଉତ୍ୟକ୍ତ ଲୋକମାନେ ଶ୍ରୀନିବାସଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ଶ୍ରୀନିବାସ କହିଛନ୍ତି ଯେ, ସେ ପୋଲିସରେ ଏନେଇ ଅଭିଯୋଗ କରିବେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ଆଜି ହାଇଦ୍ରାବାଦର ମୁକ୍ତି ଦିବସ ଉପଲକ୍ଷେ ଏକ ଜନସଭାକୁ ସେ ଉଦବୋଧନ ଦେଇଛନ୍ତି । ଏହି ସଭାରେ ସେ କହିଛନ୍ତି ଯେ, ଯଦି ସର୍ଦ୍ଦାର ପଟେଲ ନଥାନ୍ତେ ତେବେ ହାଇଦ୍ରାବାଦକୁ ମୁକ୍ତ କରିବା ଏତେ ସହଜ ହୋଇ ନଥାନ୍ତା ।

Related Posts