‘ଯଦି କିଛି ଭୁଲ ହୋଇଛି ତେବେ କାହାରିକୁ ଛଡ଼ାଯିବ ନାହିଁ’: ଆଦାନୀ ପ୍ରସଙ୍ଗରେ ମୁଁହ ଖୋଲିଲେ ଅମିତ ଶାହ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ଆଦାନୀ-ହିଣ୍ଡେନବର୍ଗ ମାମଲରେ ବିରୋଧୀ ଲଗାତର କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ସଂସଦରେ ମଧ୍ୟ ହଙ୍ଗାମା କରୁଛନ୍ତି। ଏହି ମାମଲାର ତଦନ୍ତ ପାଇଁ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ବିରୋଧୀ ଦାବି କରୁଛନ୍ତି। ଏସବୁ ମଧ୍ୟରେ ଏହି ମାମଲାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଅମିତ ଶାହ କହିଛନ୍ତି, ସୁପ୍ରିମକୋର୍ଟ ଏହି ଘଟଣାର ଅବଗତ ହୋଇସାରିଛନ୍ତି। କୋର୍ଟ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛନ୍ତି। ଶାହ କହିଛନ୍ତି, ଯଦି କିଛି ଭୁଲ ହୋଇଛି ତେବେ କାହାରିକୁ ଛଡ଼ାଯିବ ନାହିଁ। ଯଦି ଏହି ଘଟଣାରେ କାହା ପାଖରେ କିଛି ପ୍ରମାଣ ଥାଏ ତେବେ ତାକୁ ସୁପ୍ରିମକୋର୍ଟଙ୍କ କମିଟି ନିକଟରେ ସେ ଦାଖଲ କରିବା ଉଚିତ। ଶାହ ଆହୁରି କହିଛନ୍ତି, ଏ ପ୍ରସଙ୍ଗର ଆମ ସରକାର ସହିତ କୌଣସି ସମ୍ପୃକ୍ତି ବା ଅନିଶ୍ଚିତତା ନାହିଁ। ଘଟଣା ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି। ଜନସାଧାରଣ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ।

ସେପଟେ ବିରୋଧୀଙ୍କ ହଙ୍ଗାମା ଭିତରେ ସଂସଦ ଅଚଳ ହେଉଥିବା ନେଇ ମଧ୍ୟ ଶାହ ପ୍ରତିକ୍ରିୟା ରଖିଛନ୍ତି। ବିରୋଧୀ ଦଳ ଆଲୋଚନା କରି ବୁଝାମଣାରେ ଉପନୀତ ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ। ଦୁଇ ପକ୍ଷ ବାଚସ୍ପତିଙ୍କ ସମ୍ମୁଖରେ ବସି ଆଲୋଚନା କରନ୍ତୁ। ସେମାନେ ଦୁଇ ପାଦ ଆଗକୁ ବଢ଼ିଲେ ଆମେ ବି ଦୁଇ ପାଦ ଆଗକୁ ବଢ଼ିବୁ। ତେବେ ଯାଇ ସଂସଦ ଚାଲିବ। କିନ୍ତୁ, ସେମାନେ ଖାଲି ସାମ୍ବାଦିକ ସମ୍ମିଳନୀ ଛଡ଼ା କିଛି କରୁ ନାହାନ୍ତି। ଏମିତିରେ ଗୃହ କାର୍ଯ୍ୟ ସମ୍ଭବ ହେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।

Related Posts