ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦରେ ଉଠିଲା ନ୍ୟାସନାଲ ହେରାଲଡ୍‌ ମାମଲା। ପ୍ରଥମେ ରାହୁଲ ଗାନ୍ଧି, ପରେ ସୋନିଆ ଗାନ୍ଧି ଏବଂ ଏବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇଡି ସମନ କରିବା ପରେ ଏନେଇ ରାଜନୀତି ଜୋର ଧରିଛି। ଆଜି ସଂସରେ ଏହି ପ୍ରସଙ୍ଗକୁ କଂଗ୍ରେସ ସଦସ୍ୟ ମାନେ ଉଠାଇ ପ୍ରବଳ ହୋହଲ୍ଲା କରିଥିଲେ । ଏନେଇ ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଯେତେବେଳେ ସଂସଦରେ ଅଧିବେଶନ ଚାଲିଛି ଇଡି କିପରି ମତେ ସମନ କରୁଛି ।ମୁଁ ଆଇନକୁ ସମ୍ମାନ ଦେବାକୁ ଚାହେଁ। କିନ୍ତୁ ବର୍ତ୍ତମାନ ସମନ କରିବାର ଉପଯୁକ୍ତ ସମୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସଂସଦ ଅଧିବେଶନ ସମୟରେ ଜଣେ ସାଂସଦକୁ କେମିତି ସମନ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱେଚ୍ଛାଚାରୀ ସରକାରକୁ ଡରେନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ରାହୁଲ୍‌ ଗାନ୍ଧି କହିଛନ୍ତି, ଆମେ ଡରିବୁ ନାହିଁ। ତାଙ୍କର ଯାହା କରିବା କଥା କରନ୍ତୁ, କିଛି ଯାଏଆସେ ନାହିଁ। ଟିକେ ଚାପ ପ୍ରୟୋଗ କଲେ ଆମେ ଚୁପ୍‌ ହୋଇଯିବୁ ବୋଲି ସେମାନେ ଭାବୁଛନ୍ତି। ଆମେ ଚୁପ୍‌ ହେବୁନାହିଁ। ବିଜେପି ଯାହା କରୁଛି, ଆମେ ତା’ର ବିରୋଧ କରିବୁ। ଆମେ ଭୟଭୀତ ହେବୁନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଗତକାଲି ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ପରିସରେରେ ଥିବା ୟଙ୍ଗ ଇଣ୍ଡିଆନ୍‌ କାର୍ଯ୍ୟାଳୟକୁ ସିଲ କରାଯାଇଛି। ଉକ୍ତ କମ୍ପାନୀର ମଲ୍ଲିକାର୍ଜୁନ ଖାଡ଼ଗେ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ପ୍ରତିନିଧି। ଗତକାଲି ସେ ଅଫିସରେ ନଥିବା ବେଳେ ଉକ୍ତ ଅଫିସକୁ ସିଲ କରାଯାଇଥିଲା। ସେ ଅଫିସରେ ଉପସ୍ଥିତ ରହି ସର୍ଚ୍ଚ ଅପରେସନକୁ ସହଯୋଗ କଲେ ଏହି କଟକଣା ପ୍ରତ୍ୟାହାର କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି। ତେବେ ଆଜି ଦିନ ୧୨.୩୦ ରେ ଖଡଗେଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଥିବା ବେଳେ ଏହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।