କେତେ ନିରାପଦ ନିରାମୟ ଯୋଜନା ଔଷଧ, ଔଷଧ ବୋତଲରୁ ବାହାରିଲା ମଲା ଜନ୍ତୁ ?

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ନିରାମୟ ଯୋଜନାରେ ରୋଗୀଙ୍କୁ ଦିଆଯାଉଛି ଔଷଧ କେତେ ନିରାପଦ ? ଏଥିରେ ଦିଆଯାଉଥିବା ଔଷଧ ବିଷାକ୍ତ କି ? ଏହି ଔଷଧ ସେବନ କରିବା ପରେ ଜୀବନ ଯିବାର ଭୟ ରହିଛି କି ? ବର୍ତ୍ତମାନ ଏଭଳି କିଛି ପ୍ରଶ୍ନ ଉଠିଛି, ଏବଂ ଏହାର କାରଣ ହେଉଛି ରବିବାର ଦିନ ବାରିପଦାସ୍ଥିତ ପିଆରଏମ୍‌ ହସ୍ପିଟାଲରୁ ନିରାମୟ ଯୋଜନାରେ ଦିଆଯାଉଥିବା ଔଷଧକୁ ନେଇ ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏକ ଔଷଧ ବୋତଲରୁ ବାହାରିଛି ଏକ ଛୋଟ ଅଜଣା ସରୀସୃପର ମୃତଦେହ।

ଅଭିଯୋଗ ଅନୁଯାୟୀ , ବାରିପଦା ଥାନା ଅନ୍ତର୍ଗତ ଶୁନଗଡ଼ିଆ ଅଞ୍ଚଳର ସେକ୍‌ ସେରାଜୁଲ ତାଙ୍କର ୩ ବର୍ଷର ଛୁଆର ଦେହ ଖରାପ ଥିବାରୁ ରବିବାର ଦିନ ପିଆର୍‌ଏମ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଡାକ୍ତର ପିଲା‌ଟିର ପରୀକ୍ଷା କରି ଔଷଧ ଲେଖି ଦେଇଥିଲେ। ଡାକ୍ତରଙ୍କ ଦ୍ବାରା ଲେଖାଯାଇଥିବା ଔଷଧ ନେବା ପାଇଁ ସେକ୍‌ ନିରାମୟ କେନ୍ଦ୍ର ପହଞ୍ଚି ଥିଲେ। ସେଠାରୁ ମେଡିସିନ ଆଣି ଛୁଆକୁ ଖୁଆଇବାକୁ ଯିବା ବେଳେ ଏହି ଔଷଧ ବୋତଲ ଭିତରୁ ବିଛା କିମ୍ବା ସାପ ଭଳି ଦେଖାଯାଉଥିବା କିଛି ଜନିଷ ଦେଖିବାକୁ ପାଇଥିଲେ। ଏ ନେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇଥିଲେ।

ଡାକ୍ତର ସେହି ଔଷଧକୁ ଦେଖି ତୁରନ୍ତ ସେହି ମେଡିସନ୍ କୁ ସଙ୍ଗେ ସଙ୍ଗେ ଫିଙ୍ଗି ଦେବାପାଇଁ କହିଥିଲେ। ସେକ୍‌ ଏ ନେଇ ନିରାମୟ କେନ୍ଦ୍ରରେ ଅଭିଯୋଗ କରିବାରୁ ସେମାନେ ଓଲଟା ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରର ଅଧିକାରୀ ମାନେ କହିଥିଲେ ଯେ, ‘ ତୁମେ ଔଷଧ ତିଆରି କରିଥିବା କମ୍ପାନିକୁ ଯାଇ ଅଭିଯୋଗ କର। ଯାହା ସରକାରଙ୍କ ପକ୍ଷରୁ ଦିଆଯାଉଛି, ତାହା ଆମେ ଦେଉଛୁ। ‘

ଏହାପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରି ବିଫଳ ହୋଇଥିଲେ। ଏହା ପରେ ସେ ବାଧ୍ୟ ହୋଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟ ସରକାରଙ୍କୁ ଔଷଧ ବିତରଣ କରୁଥିବା କମ୍ପାନୀ କିଭଳି ଭାବରେ ରୋଗୀଙ୍କ ଜୀବନ ସହିତ ଖେଳୁଛି । ତେବେ ଏ ସମ୍ପର୍କରେ ପିଆର୍‌ଏମ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related Posts