ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ପୋଲିସ ହେପାଜତରେ କଏଦୀ ମୃତ୍ୟୁକୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ୨୦୧୫ରୁ ୨୦୨୨ ଜୁଲାଇ ମଧ୍ୟରେ ୪୧ ଜଣ କଏଦୀଙ୍କ ହୋଇଛି ମୃତ୍ୟୁ । ସୂଚନା ଅଧିକାର ମାଧ୍ୟମରେ ଏହି ତଥ୍ୟ ମିଳିଛି। ଓଡିଶା ପୋଲିସର ଷ୍ଟେଟ୍ ହ୍ୟୁମାନ ରାଇଟ୍ସ୍ ପ୍ରୋଟେକ୍ସନ୍ ସେଲ (ଏଚଆରପିସି) ଏହି ତଥ୍ୟ ପ୍ରଦାନ କରିଛି । ରାଜ୍ୟର ପୋଲିସ ହେଫାଜତ ଓ ଜେଲ ଭିତରେ କେତେଜଣ କଏଦୀଙ୍କ ହୋଇଛି ମୃତ୍ୟୁ ସେନେଇ ତଥ୍ୟ ମାଗିଥିଲେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ।ତେବେ ଷ୍ଟେଟ୍ ହ୍ୟୁମାନ ରାଇଟ୍ସ୍ ପ୍ରୋଟେକ୍ସନ୍ ସେଲ ପ୍ରଦାନ କରିଥିବା ତଥ୍ୟ ସଠିକ୍ ନୁହେଁ ବୋଲି କହିଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ।
ତେବେ ଏଚଆରପିସି ସ୍ପେଶାଲ ଡିଜିଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ସୂଚନା ଅନୁସାରେ ୨୦୧୫ରେ ସର୍ବାଧିକ ୮ ଜଣଙ୍କର ହାଜତ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୬ରେ ୪ଜଣ , ୨୦୧୭ ଓ ୨୦୧୮ ରେ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି ।୨୦୧୯ ଓ ୨୦୨୦ ରେ ୭ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ୪ ଜଣଙ୍କ ହାଜତ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି ।
