ଲାଉଡସ୍ପିକର ବିବାଦ: ଆଜି ଯାଏଁ ଶୋଇଥିଲ କେଉଁଠି ? ସଂଜୟ ରାଉତ

ମୁମ୍ବାଇ: ଲାଉଡସ୍ପିକର କୁ ନେଇ ପଡୁଛି ଉଠୁଛି ମହାରାଷ୍ଟ୍ର ରାଜନୀତି | ବିରୋଧୀ ଓ ଶାସକ ମଧ୍ୟରେ ଚାଲିଛି କାଦୁଅ ଫୋପଡ଼ା ଫୋପାଡ଼ି | ତେବେ ଏହାରି ମଧ୍ୟରେ ଶିବସେନା ସାଂସଦ ସଂଜୟ ରାଉତ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକ୍‌ରେଙ୍କୁ ନେଇ ବୟାନ ଦେଇଛନ୍ତି ।

ସଂଜୟ ରାଉତ କହିଛନ୍ତି ଯେ, ଆଜି ରାଜ୍ୟର ପ୍ରତିଟି ସ୍ଥାନରେ ଲାଉଡସ୍ପିକର ରାଜନୀତି ଚାଲିଛି । ମସ୍‌ଜିଦରେ ଲାଉଡସ୍ପିକର ସଂପର୍କରେ ବାଲାସାହେବ ଠାକରେଙ୍କ ବିଚାର ଉପରେ କିଛି ପୁରୁଣା ଭିଡିଓ କ୍ଲିପ ସେୟାର କରାଯାଉଛି । ତେଣୁ ମୁଁ ପଚାରିବାକୁ ଚାହୁଁଛି ଯେ, ପୂର୍ବରୁ ଏହି ପ୍ରସଙ୍ଗ କାହିଁକି ଉଠୁ ନଥିଲା ।

ସଂଜୟ ରାଉତ କହିଛନ୍ତି ଯେ, ବିଗତ ୫୦ ବର୍ଷ ଭିତରେ ଏହି ପ୍ରସଙ୍ଗ କାହିଁକି ଉଠି ନଥିଲା? ଏହି ସମୟ ମଧ୍ୟରେ ରାଜ୍ ଠାକରେ କାହିଁକି ଲାଉଡସ୍ପିକର ନେଇ ଚର୍ଚ୍ଚା କରି ନଥିଲେ । ପୂର୍ବରୁ ଏହାକୁ ନେଇ ବୟାନ ଆସି ନଥିଲା କି ବିବାଦ ମଧ୍ୟ ହୋଇ ନଥିଲା । କିନ୍ତୁ ଏବେ ଏହି ବଡ଼ ପ୍ରସଙ୍ଗ ଉଠିବାର କାରଣ ରାଜ୍ ଠାକରେଙ୍କ ବଡ଼ ଭାଇ ଉଦ୍ଧବ ଠାକରେ ଶିବସେନା ମୁଖ୍ୟ ଓ ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ରାଜ୍ ଠାକରେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମେ’ ୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିବାସ ବାହାରେ ହନୁମାନ ଚାଲିସା ପାଠକୁ ନେଇ ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କର ବିଧାୟକ ପତି ରବି ରାଣାଙ୍କ ଗିରଫ ପରେ ରାଜ୍ୟରେ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ।

Related Posts