ମାନବିକତା ଦେଖାଇଲା ଭାରତ, ୟୁକ୍ରେନକୁ ପଠାଇବ ଔଷଧ

ୟୁକ୍ରେନ ଓ ରୁଷ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଉଭୟ ପରସ୍ପର ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନ ନିଜ ଦେଶକୁ ଋଷ କବଳରୁ ରକ୍ଷା କରିବା ପାଇଁ ଲଢେ଼ଇ କରୁଥିବା ବେଳେ ଋଷ ଆଧିପତ୍ୟ ବିସ୍ତାର ପାଇଁ ଜାରି ରଖିଛି ଲଢେ଼ଇ । ଏହାରି ମଧ୍ୟରେ ଋଷ ବିରୋଧରେ ଅନେକ ଦେଶ ବାହାରି ପ୍ରତିବନ୍ଧକ ଲଗାଇଛନ୍ତି । ଯଦିଓ ଭାରତ କାହାରି ପକ୍ଷ ନେଇ ନାହିଁ ତଥାପି ମାନବିକତା ଆଧାରରେ ବଡ ଦଖଲ ଦେବାକୁ ନିଷ୍ପତ୍ତି ନେଇଛି।

ସୋମବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ୟୁକ୍ରେନକୁ ମାନବିକତା ସହାୟତା ପ୍ରଦାନ କରିବ ଏବଂ ଔଷଧ ପଠାଇବ। ଅପରେସନ ଗଙ୍ଗା ଆଧାରରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସ୍ଵଦେଶ ଅଣାଯାଉଛି। ଏ ପର୍ଯ୍ୟନ୍ତ ୧୪୦୦ ଜଣଙ୍କୁ ୬ ବିମାନରେ ଭାରତ ସୁରକ୍ଷିତ ଅଣାଯାଇଛି। ଏଥିରୁ ୪ ବିମାନ ରୋମାନିଆର ବୁକାରେଷ୍ଟରୁ ଆସିଥିବା ବେଳେ ଦୁଇଟି ବିମାନ ହଙ୍ଗେରୀର ବୁଡାପେଷ୍ଟରୁ ଭାରତ ଆସିଥିବା ବାଗଚୀ କହିଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ୟୁକ୍ରେନରେ ସ୍ଥିତି ଦିନକୁ ଦିନ କଠିନ ହେବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଚିନ୍ତାର କାରଣ। ତେଣୁ ଭାରତ ସରକାର ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ସେଠାରୁ ଆଣିବା ପାଇଁ ଅଭିଯାନ ଜୋରଦାର କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଆଡଭାଇଜରି ଜାରି ପରଠୁ ଏ ପର୍ଯ୍ୟନ୍ତ ୮୦୦୦ ଭାରତୀୟ ୟୁକ୍ରେନରୁ ବାହାରି ସାରିଛନ୍ତି। ମୋଦୀ ସରକାର ହରଦୀପ ସିଂହ ପୁରି, ଭିକେ ସିଂହ, କିରେନ ରିଜିଜୁ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୟୁକ୍ରେନର ପଡୋଶୀ ଦେଶ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

Related Posts