(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଶ୍ରମିକଙ୍କ ପାଇଁ କାଳ ସାଜୁଛି କୃତ୍ରିମ ଗ୍ରାନାଇଟ୍ କାରଖାନା। କାରଖାନାରେ ସୁରକ୍ଷା ବ୍ୟବସ୍ଥାର ଅଭାବ କାରଣରୁ ଅଳ୍ପଦିନରେ ଶହ ଶହ ଯୁବ ଶ୍ରମିକ ଯକ୍ଷ୍ମା ଓ ସିଲିକୋସିସ୍ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ।
ଆମେରିକାନ ସଂସ୍ଥା ଅକ୍ୟୁପେସନାଲ ନଲେଜ ଇଣ୍ଟରନାସନାଲ (ଓକେଆଇ) ଓ ସ୍ୱେଚ୍ଛାସେବୀ ସଂସ୍ଥା ଜୀବନ ରେଖା ପରିଷଦ (ଜେଆରପି)ର ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏଭଳି ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ଦେଶର ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ ଓ ରାଜସ୍ଥାନରେ କରାଯାଇଥିବା ସର୍ଭେରୁ ଏହି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କଥା ଲୋକଲୋଚନକୁ ଆସିଛି ।
ସର୍ଭେ ରିପୋର୍ଟ ନେଇ ଜେଆରପିର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ପୂର୍ବରୁ ପ୍ରାକୃତିକ ଉପାୟରେ ପଥରକୁ କାଟି ଗ୍ରାନାଇଟ୍ ଓ ଟାଇଲ୍ ପ୍ରସ୍ତୁତ ହେଉଥିଲା । ତେଣୁ ସେହି ସମୟରେ ଶ୍ରମିକମାନଙ୍କ ସେତେଟା ସମସ୍ୟା ନଥିଲା । କିନ୍ତୁ ସଂପ୍ରତି ଶିଳ୍ପସଂସ୍ଥାଗୁଡିକ ଏହିସବୁ ପଥର କଟାରୁ ବାହାରୁଥିବା ଗୁଣ୍ଡକୁ ବ୍ୟବହାର କରି କୃତ୍ରିମ ଉପାୟରେ ଗ୍ରାନାଇଟ୍, ଚଟାଣ ଓ କାନ୍ଥରେ ଲାଗୁଥିବା ଟାଇଲ୍ ଆଦି ପ୍ରସ୍ତୁତ କରୁଛନ୍ତି । ଏହା ଦେଖିବାକୁ ଅତି ସୁନ୍ଦର ଓ ଶସ୍ତା ହେଉଥିବାରୁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଏହି କୃତ୍ରିମ ଗ୍ରାନାଇଟ୍ ଓ ଟାଇଲ୍ ପ୍ରସ୍ତୁତ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ଯକ୍ଷ୍ମା ଓ ସିଲିକୋସିସ୍ ଭଳି ମାରାତ୍ମକ ରୋଗର ଆକ୍ରାନ୍ତ ହେଉଛନ୍ତି । ତେବେ ଯକ୍ଷ୍ମା ରୋଗକୁ ମେଡିକାଲ ଚିକିତ୍ସା ଜରିଆରେ ନିୟନ୍ତ୍ରଣ କରାଯାଇ ପାରୁଥିବାବେଳେ ସିଲିକୋସିସ ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବାହାରିନାହିଁ । ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି କାର୍ଯ୍ୟରତ ଶ୍ରମିକମାନଙ୍କୁ ଅତ୍ୟାଧୁନିକ ମାସ୍କ ସହିତ କାରଖାନାରେ ପ୍ରଦୂଷଣ ବିଶେଷକରି ପଥରଗୁଣ୍ଡ ଉଡିବାକୁ ନିୟନ୍ତ୍ରଣ କରିବା । କିନ୍ତୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା କାରଣରୁ କାରଖାନା ମାନେ ଏହା ପାଳନ କରୁନାହାଁନ୍ତି। ଫଳରେ ଅଳ୍ପ ବୟସରେ ବହୁ ଯୁବ ଶ୍ରମିକ ମୃତ୍ୟୁମୁଖରେ ପଡୁଛନ୍ତି ।
ତେବେ କେନ୍ଦ୍ର ସରକାର ଜାତୀୟ ସିଲିକୋସିସ୍ ନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ପ୍ରାଣ ହରାଉଥିବା ଶ୍ରମିକମାନଙ୍କ ପାଇଁ କ୍ଷତିପୂରଣର ବ୍ୟବସ୍ଥା କରିଛନ୍ତି। ସରକାରଙ୍କର ଯୋଜନା ଥଵା ସତ୍ବେ ଶ୍ରମିକମାନେ ଗରିବ ଶ୍ରେଣୀର ହୋଇଥିବାରୁ ସହଜରେ କ୍ଷତିପୂରଣ ରାଶି ବି ପାଇପାରୁ ନାହାନ୍ତି । ବିଶେଷକରି ସିଲିକୋସିସ୍ରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ପାଇଁ ଡାକ୍ତରୀ ସାର୍ଟିଫିକେଟ୍ ଜରୁରୀ ହେଉଥିବାରୁ ତାହା କ୍ଷତିପୂରଣ ପାଇବାରେ ବାଧକ ସାଜିଛି ।
ଗୁଜୁରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ଭଳି ମାର୍ବଲ ଓ ଗ୍ରାନାଇଟ୍ ଖଣି ବହୁଳ ରାଜ୍ୟରେ ପଥରଗୁଣ୍ଡରୁ ଏହି କୃତ୍ରିମ ଟାଇଲ୍ ପ୍ରସ୍ତୁତ କାରଖାନା ବହୁଳ ମାତ୍ରାରେ ଥିବାବେଳେ ଆମ ରାଜ୍ୟ ଓଡ଼ିଶାର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କେତେକ ଉଦ୍ୟୋଗୀ ଏଭଳି କାରଖାନା ପ୍ରତିଷ୍ଠା ଆରମ୍ଭ କରିଛନ୍ତି । ତେଣୁ କାରଖାନାରୁ ଉନ୍ନତମାନର ସାମଗ୍ରୀ ଉତ୍ପାଦନ ସହିତ ଶ୍ରମିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଦିଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାର ବିଶେଷକରି କାରଖାନା ମାଲିକମାନେ ଧ୍ୟାନ ଦେବା ଉଚିତ୍ ବୋଲି ଡକ୍ଟର ମିଶ୍ର କହିଛନ୍ତି ।