ଆଫଗାନିସ୍ତାନ ସ୍ଥିତିକୁ ନେଇ ସିସିଏସ୍ ବୈଠକରେ ପ୍ରଧାନମନ୍ତ୍ରୀ କହିଲେ ,” ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ବଡ ବଡ ଦେଶ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।  ଭାରତର ପଡୋଶୀ ଦେଶରେ ଆତଙ୍କବାଦୀ ସଂଗଠନ କ୍ଷମତାକୁ ଆସିବା ପରେ ଭାରତ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ବି ସମସ୍ତଙ୍କ ନଜର ରହିଛି। ନ୍ୟୁଜ୍ ଏଜେନ୍ସି ANI ସୂତ୍ର ଅନୁଯାୟୀ, ତାଲିବାନ ଆଫଗାନିସ୍ତାନରେ କିଭଳି ଶାସନ କରିବା ଭାରତ ତାକୁ ଅପେକ୍ଷା କରିବ।  ତାଲିବାନ ଶାସନ ଉପରେ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ କେଉଁ ଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଭାରତ ଏହାର ଅନୁଧ୍ୟାନ କରିବ। 

 ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଆଫଗାନିସ୍ତାନର ସ୍ଥିତି ସମ୍ପର୍କରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ୍) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ।  ବୈଦେଶିକ ବ୍ୟାପାର ମନ୍ତ୍ରୀ ଦେଶ ବାହାରେ ଥିବା କାରଣରୁ ସେ ଏହି ବୈଠକରେ ଯୋଗ ଦେଇନାହାଁନ୍ତି।  

ସୂଚନା ମୁତାବକ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଅଧିକାରୀଙ୍କୁ ଆଗାମୀ ଦିନରେ ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ କେବଳ ନିଜର ନାଗରିକମାନଙ୍କୁ ସୁରକ୍ଷା ଦେବ ନାହିଁ, ବରଂ ଯେଉଁମାନେ ଭାରତକୁ ଆସିବାକୁ ଚାହୁଁଛନ୍ତି ସେହି ଶିଖ୍ ଏବଂ ହିନ୍ଦୁ ଅଳ୍ପସଂଖ୍ୟକମାନଙ୍କୁ ମଧ୍ୟ ଆଶ୍ରୟ ଦେବା ଉଚିତ୍। ଯେଉଁମାନେ ସାହାଯ୍ୟ ଚାହିଁଛନ୍ତି ସେମାନଙ୍କୁ ସହାୟତା ପ୍ରଦାନ କରାଯିବା ଉଚିତ୍। ‘

ସୂଚନାଯୋଗ୍ୟ, ମଙ୍ଗଳବାର ଭାରତୀୟ ବାୟୁ ସେନାର ସି-୧୭ ବିମାନ ଯୋଗେ କାବୁଲରୁ ୧୫୦ରୁ ଅଧିକ ଲୋକଙ୍କୁ ଭାରତ ଅଣାଯାଇଛି। ଯେଉଁଥିରେ ସିସିଏସ ବୈଠକରେ ଯୋଗ ଦେଇଥିବା ଭାରତର ରାଷ୍ଟ୍ରଦୂତ ରୁଦ୍ରେଣ୍ଡ୍ରା ଟଣ୍ଡନ ମଧ୍ୟ ଥିଲେ। ଏହି ବୈଠକ ପୂର୍ବରୁ କେନ୍ଦ୍ର ସରକାର ଜରୁରୀ କାଳୀନ ଇ-ଭିସାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରେ ରହୁଥିବା ଲୋକମାନେ ଭାରତ ଆସିବାକୁ ଆବେଦନ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍‌ରେ ଏହି ବ୍ୟବସ୍ଥା କରିଛି।

Related Posts