ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀ

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ କବି,ସାହିତ୍ୟିକ, ସଙ୍ଗଠକ ତଥା ଓଡି଼ଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ କିଛିଦିନ ଧରି ସେ କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ମୁକ୍ତ ପୁର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ, ନିୟନ୍ତ ରାତିର ସ୍ବପ୍ନ, ବିଂଶରୁ ଏକ ବିଂଶ, ଶବ୍ଦ ବ୍ରହ୍ମ, ଲୋକଗୀତ, କର୍ଣ୍ଣ, ନିଜକୁ ଖୋଜୁଥିବା ବେଳେ, ହଜି ଯାଇଥିବା ମଣିଷ, ପୁନଶ୍ଚ ସାଲବେଗ ଆଦି ପୁସ୍ତକର ସ୍ରଷ୍ଟା ସ୍ୱର୍ଗତଃ ଗାନ୍ଧୀ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କ ଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଙ୍ଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ । ୧୯୯୩ ମସିହାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜେଲ୍ ସିଂଙ୍କଦ୍ୱାରା ଧର୍ମନିରପେକ୍ଷ ଭାରତ ହରମୋନି ପୁରସ୍କାର ଏବଂ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ମସିହାରେ ଗଙ୍ଗାଧର ମେହେର କବିତା ପୁରସ୍କାର ପାଇଥିଲେ । ହୁସେନ ୨୦୦୮ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Related Posts