ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ମୁଁ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛି ଓ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରୁଛି। ନିଜ ସ୍ୱାସ୍ଥ୍ୟ ନେଇ ଆଜି ଭାରତୀୟ ଜନତା ପାର୍ଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଏଭଳି ଜବାବ ଦେଇଛନ୍ତି। ଖବର ସରବରାହ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ, ବିଜେପି ମିଛ କହିବାର ସବୁ ସୀମା ଟପିଯାଇଛି। ମୁଁ ଏବେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛି ଏବଂ ଗତ ମାସେ ହେଲା ସାରା ରାଜ୍ୟରେ ପ୍ରଚାର କରୁଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟ ବିଜେପି ପୁଲିସ ଡିଜିଙ୍କୁ ଏକ ଚିଠି ଲେଖିଥିଲା। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ଅଭିଯୋଗ ଆଣିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ସନ୍ଦେହ ହେଉଛି ବୋଲି ମଧ୍ୟ କହିଥିଲା। ବିଜେପି ଯୁକ୍ତି ଦର୍ଶାଇଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି? ଜଣେ ଜଜ୍ ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରନ୍ତୁ। ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମ ସାମ୍ନାକୁ ଆଣନ୍ତୁ ବୋଲି ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲା ବିଜେପି। ଆଉ ବିଜେପିର ଏହି ଚଠି ପରେ ଏହାର ଜବାବ ରଖିଛନ୍ତି ନବୀନ ।