‘ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ..’: ମମତା ବାନାର୍ଜୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୩/୯(ସତ୍ୟପାଠ ବ୍ୟୁରୋ):  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ମମତା ବାନାର୍ଜୀ । ଆରଜି କର ମେଡିକାଲ୍‌ କଲେଜ ଘଟଣାକୁ ନେଇ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । କୋଲକାତାର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରାଦେଶରେ ଆକ୍ରୋଶ ଦେଖାଦେଇଛି । 

ସେପଟେ ପଶ୍ଚିମବଙ୍ଗ ସରକାରକୁ ସବୁ ମହଲରେ ସମାଲୋଚିତ ହେବାକୁ ପଡ଼ିଛି । ଏମିତି କି ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । କୋଲକାତା ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ସରକାରକୁ କଡ଼ା ଭତ୍ସନା କରିଛନ୍ତି । ଏହାରି ମଧ୍ୟରେ ଗତକାଲି ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ଏକ ସହ ବୈଠକ ରଖିଥିଲେ । ହେଲେ ବୈଠକକୁ ଡାକ୍ତରମାନେ ଆସିନଥିଲେ । ବୈଠକ ସମୟରେ ଏହାର ସିଧା ପ୍ରସାରଣ କରିବାକୁ ଦାବି କରିଥିଲେ ଆନ୍ଦୋଳନରତ ଡାକ୍ତର । ହେଲେ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଏହା ସମ୍ଭବ ନୁହଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହାସହିତ ବୈଠକର ଭୀଡିଓ ରେକର୍ଡ଼ିଂ ପାଇଁ ସରକାର ରାଜି ହୋଇଥିଲେ । ହେଲେ ଡାକ୍ତର ମାନେ ସିଧାପ୍ରସାରଣ ଦାବିରେ ଅଡ଼ି ବସିଥିଲେ ।

ଫଳରେ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଫେରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ମମତା । କହିଛନ୍ତି, ”ମୋ ପାଇଁ ପଦ ବଡ଼ ନୁହେଁ, ମୁଁ ନ୍ୟାୟ ଚାହୁଁଛି” । ଏହି ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ଏହାକୁ ନେଇ ଚାରିଆଡେ ଚର୍ଚା ଆରମ୍ଭ ହୋଇଛି ।

Related Posts