
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍। ହଠାତ୍ ଏହି ଷ୍ଟାର କ୍ରିକେଟର ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦିନିକିଆରୁ ଅବସର ନେଇଥିଲେ ବି ମ୍ୟାକ୍ସୱେଲ୍ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ। ୨୦୧୨ରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ଡେବ୍ୟୁ ପରେ, ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ୧୪୯ଟି ଦିନିକିଆ ଖେଳିଥିଲେ, ଯେଉଁଥିରେ ସେ ୩୩.୮୧ ହାରରେ ଏବଂ ୧୨୬.୭୦ଷ୍ଟ୍ରାଇକ୍ ରେଟ୍ ସହିତ ୩,୯୯୦ ରନ୍ କରିଥିଲେ। ମ୍ୟାକ୍ସୱେଲ୍ ତାଙ୍କର ଉତ୍କୃଷ୍ଟ ଅଫ୍-ସ୍ପିନ୍ ବୋଲିଂ ସହିତ ୫୦ଓଭର ଫର୍ମାଟରେ ୭୭ୱିକେଟ୍ ନେବା ସହ ୯୧ଟି କ୍ୟାଚ୍ ମଧ୍ୟ ଧରିଥିଲେ।
‘ଫାଇନାଲ ୱାର୍ଡ ପୋଡକାଷ୍ଟ’ରେ ମ୍ୟାକ୍ସୱେଲ ତାଙ୍କ ଅବସର ବିଷୟ ଜଣାଇ କହିଥିଲେ ଯେ, ” ମୋତେ ଲାଗିଲା ଯେ, ମୁଁ ମୋ ଟିମ୍କୁ ନିରାଶ କରୁଛି। ଏବିଷୟରେ ମୁଁ ଜର୍ଜ ବେଲି (ମୁଖ୍ୟ ଚୟନକର୍ତ୍ତା)ଙ୍କ ସହ କଥା ହୋଇଥିଲି ଏବଂ ତାଙ୍କୁ ପଚାରିଥିଲି ଯେ, ମୋ ଭବିଷ୍ୟତ ବିଷୟରେ ତାଙ୍କର ମତ କ’ଣ। ଆମେ ୨୦୨୭ ବିଶ୍ୱକପ୍ ବିଷୟରେ କଥା ହୋଇଥିଲୁ ଏବଂ ମୁଁ ତାଙ୍କୁ କହିଥିଲି, ‘ମୁଁ ଭାବୁନାହିଁ ଯେ ମୁଁ ଏଥିରେ ସଫଳ ହୋଇପାରିବି। ଏବେ ମୋ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ନେବା ପାଇଁ ଯୋଜନା କରିବାର ସମୟ ଆସିଛି, ଯାହା ଦ୍ୱାରା ସେମାନେ ଏହି ଦଳକୁ ଆସି ଦଳକୁ ଆଗକୁ ନେଇପାରିବେ। ଆଶା କରୁଛି ସେମାନେ ସେହି ଭୂମିକା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ। ଭଲ ଖେଳିପାରୁଥିଲେ ମୁଁ କେତେ ବି ଦିନିକିଆରୁ ଅବସର ନେଇ ନଥାନ୍ତି। ମୋ ହିସାବରେ ମୋର ଶରୀର ଏବେ ପରିସ୍ଥିତି ଅନୁଯାୟୀ ପ୍ରତିକ୍ରିୟା ଦେଇପାରୁନାହିଁ।”