ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।
ଅର୍ଚ୍ଚନା ମୁହଁ ଖୋଲି ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଥିଲେ ଯେ, ମୁଁ ୫ ବର୍ଷର ଛୁଆର ଲୁହ ପଡିବ । ସେ ନିର୍ଦ୍ଦୋଷ, ତାର କୌଣସି ଦୋଷ ନାହିଁ । ଆହୁରି କହିଥିଲେ ମୋତେ ଫସାଇ ଦିଆଯାଇଛି । ମୁଁ ଆତଙ୍କବାଦୀ ନୁହେଁ ଯେ, ଡରିବି । ମୋ ପାଖରେ ବହୁତ କିଛି ସୂଚନା ରହିଛି । କେବଳ ୩୦ ମିନିଟ ସମୟ ଦେଲେ ମୁଁ ସବୁ ଗୁମର ଖୋଲିଦେବି । ସବୁ ପ୍ରମାଣ ସହ ଦେଖାଇବି, କେବଳ ଆପଣମାନଙ୍କ ସହଯୋଗ ଦରକାର ବୋଲି ଗଣମାଧ୍ୟମକୁ କହିଥିଲେ ଅର୍ଚ୍ଚନା । ମୁଁ ମୁହଁ ଖୋଲିଲେ ସବୁ ଫସିବେ । ସାରା ରାଜ୍ୟ ଦୋହଲିଯିବ । କେବଳ ମୁଁ ଇଡିକୁ ଅପେକ୍ଷା କରିଥିଲି । କିଏ ମୋତେ ଫସାଇଦେଲା ଜାଣିପାରୁନି । ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବି । ସେ କହିଛନ୍ତି ମୁଁ ଚାହୁଁଛି ସବୁ କିଛି ସାମ୍ନାକୁ ଆସୁ । ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ । ମୁଁ କିଛି ଭୁଲ କରିନାହିଁ, ଯେତେବଡ ତଦନ୍ତକାରୀ ସଂସ୍ଥା ଆସିଲେ ବି ମୁଁ ଡ଼ରିନାହିଁ ବୋଲି କହିଲେ ଅର୍ଚ୍ଚନା ।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗଙ୍କୁ ଗତକାଲି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହଜାର କରାଯାଇଥିଲା । ସେଠାରେ ଇଡି ତାଙ୍କୁ ୧୫ ଦିନ ରିମାଣ୍ଡ ରେ ନେବାକୁ ଆବେଦନ କରିଥିଲା ତେବେ କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହାପରେ ଆଜିଠୁ ଅର୍ଚ୍ଚନାଙ୍କ ରିମାଣ୍ଡରେ ନେଇଛି ଇଡି । ତେବେ ଏହି ରିମାଣ୍ଡ ଅବଧି ସମୟରେ ଅର୍ଚ୍ଚନାଙ୍କ ଠାରୁ ଅଭୁତ କିଛି ଗୁମର ଖଲିପାରେ ବୋଲି ଆଶା କାରାଯାଉଛି।