ପୁଣି ଚର୍ଚ୍ଚାରେ ରାହୁଲ୍ ଗାନ୍ଧୀ: ବିଜେପି କର୍ମୀଙ୍କୁ ଦେଲେ ଫ୍ଲାଇଂ କିସ୍

ଜୟପୁର: ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ମଙ୍ଗଳବାର ଏକ କୌତୁହଳ ଢ଼ଙ୍ଗରେ ସେ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା। ବିଜେପି କର୍ମୀଙ୍କୁ ସେ ଦେଇଛନ୍ତି ଫ୍ଲାଇଂ କିସ୍। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଋାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ପହଞ୍ଚି ସାରିଛି। ମଙ୍ଗଳବାର ଏହି ଯାତ୍ରା ସମୟରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କଂଗ୍ରେସ ପକ୍ଷରୁ କରାଯାଉଥିବା ଏହି ଯାତ୍ରାରେ ମୋଦି ମୋଦି ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଏହା ଶୁଣି ରାହୁଲ ଗାନ୍ଧି ରାଗିବା ପରିବର୍ତ୍ତେ ମୋଦି ମୋଦି ସ୍ଲୋଗାନ ଦେଉଥିବା ଛାତ ଉପରେ ଠିଆ ହୋଇଥିବା ବିଜେପି କର୍ମୀଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ।

ପ୍ରକୃତରେ ରାଜସ୍ଥାନର ଝାଲବାଡ ଜିଲ୍ଲାରେ ପ୍ରବେଶ କରିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଦେଖିବା ପାଇଁ ସେଠାକାର ବିଜେପି କାର୍ଯ୍ୟାଳୟର ଛାତ ଉପରେ ଅନେକ ଲୋକ ଏକାଠି ହୋଇଥିଲେ। ଏହାପରେ ଏହି ଯାତ୍ରାରେ ମୋଦି ମୋଦି ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଏହାଶୁଣି ରାହୁଲ ଗାନ୍ଧି ଏବଂ କଂଗ୍ରେସ ନେତାମାନେ ପ୍ରଥମେ ଏହି ଲୋକଙ୍କୁ ଯାତ୍ରାରେ ଯୋଗଦେବାକୁ କହିଥିଲେ, ପରେ ରାହୁଲ ସେମାନଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ।

ଏହାର ଗୋଟିଏ ଦିନ ପୂର୍ବରୁ ବିଜେପି ତଥା ରାଷ୍ଟ୍ରୀୟ ସ୍ୱଂୟସେବାକ ସଙ୍ଘକୁ ଟାର୍ଗେଟ କରି, ‘ଜୟ ଶ୍ରୀରାମ’ ଏବଂ ‘ହେ ରାମ’ ସ୍ଲୋଗାନ ଦେଉନାହଁ କାହିଁକି ବୋଲି ପ୍ରଶ୍ନ ପଚାରିଥିଲେ ରାହୁଲ।

ଆସନ୍ତା ଦୁଇ ସପ୍ତାହ ପାଇଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ରହିବ। ଏଠାରେ ଏହି ଯାତ୍ରା ସମୁଦାୟ ୭ଟି ଜିଲା ଏବଂ ୫୨୦ କିଲୋମିଟର ଦୂରତା ଅତିକ୍ରମ କରିବ। ରାହୁଲଙ୍କ ସହ ଏହି ଯାତ୍ରାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସରା, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଅନେକ ମନ୍ତ୍ରୀ ତଥା ବିଧାୟକ ମଧ୍ୟ ସାମିଲ ହୋଇଛନ୍ତି

Related Posts