ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ମହିଳା ପୋଲିସ ଅଧିକାରୀଙ୍କ ସହ ଧସ୍ତାଧସ୍ତି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ପରୋକ୍ଷରେ ଧମକ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଅରୁପ ପଟ୍ଟନାୟକ ବ୍ୟବହାର ଜାଣି ନାହାନ୍ତି। ତୁ ତା କରି ବ୍ୟବହାର କରୁଛନ୍ତି। କାହାକୁ କେମିତି ବ୍ୟବହାର କରଯାଏ, ସେ ଜାଣି ନାହାନ୍ତି। ସେ କୋଉ ବିଶ୍ୱବିଦ୍ୟାଳୟରୁ ବାହାରିଛନ୍ତି ? ମୁମ୍ବାଇରେ ପୁଲିସ କମିସନର ଥିବା ବେଳେ ବାଂଲାଦେଶୀଙ୍କ ସହ ସାଲିସ କରିଥିଲେ। ଏଥିଲାଗି ସେ କମିସନର ପଦରୁ ବିଦା ହୋଇଥିଲେ। ମୋତେ ସେ ମାରିବା ପାଇଁ କହିଛନ୍ତି, ମୁଁ ଏକ ନିରୀହ ଲୋକ। ଯଦି ମାରିବାକୁ କହୁଛନ୍ତି ମାରିବେ। ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ ମାରୁଛି, ମତେ ଏକ୍ସ ପୁଲିସ ମାରିବ। ସେ ଯୋଉ ଜାଗାକୁ ଡାକିବେ ମାରିବାକୁ, ମୁଁ ଯିବି ସ୍ଥାନ ସମୟ ତାଙ୍କର। ମୁଁ କ୍ଷମା ପ୍ରାର୍ଥନା କାହିଁକି କରିବି? ହେଲେ ରାଜ୍ୟରେ ଜଣେ ଏଭଳି କହି ପାରୁଛି ମାନେ, ରାଜ୍ୟରେ ଶାସନ ବ୍ୟବସ୍ଥା କେମିତି ରହିଛି ତାହା ଜଣା ପଡୁଛି ବୋଲି ସେ କହିଛନ୍ତି ।

ସେପଟେ ଏହି ଘଟଣାରେ କ୍ଷମା ମାଗିବାକୁ ନେଇ ସେ କହିଛନ୍ତି ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି କ୍ଷମା ମାଗିବି? ସେ ଆହୁରି କହିଛନ୍ତି ଯେ, ମୁଁ ଆଦୌ ଅନୁତପ୍ତ ନୁହେଁ। ବିଧାନସଭାରେ ନବ ଦାସ ପ୍ରସଙ୍ଗ ଉଠାଇବାକୁ କହିଥିବାରୁ, ପ୍ରସଙ୍ଗକୁ ଡାଇଲୁଟ କରିବା ପାଇଁ ବିଜେଡି ଏଭଳି ଚକ୍ରାନ୍ତ କରିଛି। କେବଳ ମୁଁ ନୁହେଁ, ଆମ ଦଳ ମଧ୍ୟ ନିଶ୍ଚୟ ନବ ଦାସ ପ୍ରସଙ୍ଗ ବିଧାନସଭାରେ ନିଶ୍ଚୟ ଉଠାଇବ। କିନ୍ନରମାନଙ୍କୁ ଭଡ଼ାରେ ଆଣି ମୋ ବାସଭବନ ଆଗରେ ଧାରଣା ଦିଆଯାଉଛି।

ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି ଯେ, ପ୍ରତି କ୍ରିୟାର କିଛି ପ୍ରତିକ୍ରିୟା ଅଛି। ମୋ ଗୋଡ଼ ଉପରେ ଆଇଆଇସି ଚଢ଼ିଗଲେ ପ୍ରତିକ୍ରିୟାରେ ମୁଁ ଠେଲିଦେଲି। ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ କରିବି, କିନ୍ତୁ ନିରପେକ୍ଷ ତଦନ୍ତ ହେବ ତ? ପୁଲିସର ତଦନ୍ତ ଉପରେ ମୋର ବିଶ୍ବାସ ନାହିଁ ତଥାପି ଆଇନକୁ ସମ୍ମାନ ଦେଇ ତଦନ୍ତରେ ସହଯୋଗ କରିବି । ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି,ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ କ୍ଷମା ମାଗିଲେନି, ଧନୁପାଲି ଆଇଆଇସି ମୋତେ ମାରିଲେ, ମୁଁ କ୍ଷମା ମାଗିବି ନା ଓଡିଶା ପୋଲିସ ମତେ କ୍ଷମା ମାଗିବ? ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି।