ନାଁ ନ ନେଇ ଜୟନାରାୟଣ ଓ ବିଜେପିକୁ ଗୃହରେ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ଆଜି ପୁଣି ଅଚଳ ହୋଇଛି ଗୃହ। ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଗୃହର ମଧ୍ୟଭାଗକୁ ଆସି ବି‌ରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିବୃତି ରଖିଛନ୍ତି। ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଛନ୍ତି। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ନାଁ ନନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ। ହେଲେ ବିରୋଧୀ ଏହାର ରାଜନୀତିକରଣ କରୁଛନ୍ତି। ବିଶେଷ କରି ବିଜେପି ଦଳ ପକ୍ଷରୁ ଏହି ଘଟଣାରେ ଯେଭଳି ବିବୃତି ଦିଆଯାଉଛି ସେଥିପାଇଁ ତାଙ୍କୁ ରାଜ୍ୟବାସୀ କେବେ କ୍ଷମା କରିବେ ନାହିଁ। ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ‌ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ହେତୁ ରାଜ୍ୟର ପୁଲିସ ବାହିନୀରେ କାର୍ଯ୍ୟରତ ଥିବା ୯୦,୦୦୦ ପୁଲିସ କର୍ମୀଙ୍କ ମନୋବଳ ଉପରେ ନକାରାତ୍କମ ପ୍ରଭାବ ପଡ଼ୁଛି। ବିଜେପି ରାଜ୍ୟର ପୁଲିସ ବାହିନୀକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଛି। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିବୃତିର ଶେଷ ଭା‌ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବିଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତାହାକୁ ନେଇ ଆମେ ତର୍କ କିମ୍ବା ଆଲୋଚଚନା କରିପାରିବା। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ଏହି ସଙ୍ଗୀନ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରିବା।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ଗୃହର ସୁପରିଚାଳନା ପାଇଁ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡକାଇବା ସହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି।

Related Posts