ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଖର୍ଚ୍ଚ କାଟ କରିବା ଲାଗି ଭାରତରେ ଥିବା ୩ଟି ଅଫିସ୍‌ରୁ ୨ଟି ଅଫିସ୍‌ ବନ୍ଦ କରି କର୍ମଚାରୀମାନଙ୍କୁ ଘରୁ କାମ କରିବା ଲାଗି ‘ଟୁଇଟର୍‌ ଇନ୍‌କର୍ପୋରେଟେଡ୍‌’ କହିଥିବା କଥା ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ଭାରତରେ ଥିବା ୨୦୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ଏଲନ୍‌ ମସ୍କ୍‌ଙ୍କ ‘ଟୁଇଟର୍‌’ ୯୦%ରୁ ଅଧିକଙ୍କୁ ଗତବର୍ଷ ଶେଷ ଭାଗରେ ଛଟେଇ କରିଥିଲା।

ବର୍ତ୍ତମାନ ନୂଆଦିଲ୍ଲୀ ଓ ମୁମ୍ବାଇରେ ଥିବା କାର୍ଯ୍ୟାଳୟକୁ ମଧ୍ୟ ‘ଟୁଇଟର୍‌’ ବନ୍ଦ କରି ଦେଇଛି। ଏବେ କେବଳ ବେଙ୍ଗାଲୁରୁରେ ଥିବା ଅଫିସ୍‌ଟି ଚାଲୁଛି ଏବଂ ସେଥିରେ ଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଞ୍ଜିନିୟର୍‌। ୨୦୨୩ ଶେଷ ସୁଦ୍ଧା ‘ଟୁଇଟର୍‌’ର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ଲାଗି ଚଳାଇଥିବା ଉଦ୍ୟମର ଅଂଶବିଶେଷ ଭାବେ ଏଲନ୍‌ ମସ୍କ୍‌ ବିଶ୍ବବ୍ୟାପୀ ଅନେକ ଅଫିସ ବନ୍ଦ କରିବା ସହିତ ବହୁ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। କିନ୍ତୁ, ‘ବ୍ଲୁମ୍‌ବର୍ଗ’ ରିପୋର୍ଟ ସଂକ୍ରାନ୍ତରେ ପଚରା ଯିବାରୁ ‘ଟୁଇଟର୍‌’ ହଠାତ୍‌ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ତେବେ ଗତବର୍ଷ ଅକ୍ଟୋବର ମାସରେ ୪୪ ବିଲିୟନ୍‌ ଡଲାର୍‌ ବିନିମୟରେ ଏଲନ୍‌ ମସ୍କ୍‌ ‘ଟୁଇଟର୍‌’କୁ ଖରିଦ କରିବା ଓ ନଭେମ୍ବର ମାସରେ ବିଜ୍ଞାପନଦାତାଙ୍କ ସଂଖ୍ୟା ହ୍ରାସ ପାଇବାରୁ ‘ଟୁଇଟର୍‌’ର ଆୟ ଯଥେଷ୍ଟ ହ୍ରାସ ପାଇଛି।