“ଯେଉଁ ଜାଗାକୁ କହିବେ ମୁଁ ସେଇଠି ପହଞ୍ଚିବି”, ସିବିଆଇ ଲୁକ୍ ଆଉଟ୍ ନୋଟିସ କୁ ନେଇ ସିଶୋଡ଼ିଆଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡ଼ିଆଙ୍କ ଘରେ ରେଡ୍ ପରେ ସିବିଆଇ ମନୀଷଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ତେବେ ଏହାକୁ ନେଇ ମନୀଷ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଦିଲ୍ଲୀରେ ଥିବା ବେଳେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା ନେଇ ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ ଟୁଇଟ କରି ଲେଖିଛନ୍ତି “ଆପଣଙ୍କ ରେଡ ଅସଫଳ ହୋଇଗଲା। ଗୋଟିଏ ଟଙ୍କାର ମଧ୍ୟ ହେରା ଫେରି ସାମ୍ନାକୁ ଆସିଲା ନାହିଁ। ଏବେ ଆପଣ ଲୁକ୍ ଆଉଟ୍ ନୋଟିସ୍ ଜାରି କରି କହୁଛନ୍ତି କି ମନୀଷ ସିଶୋଡ଼ିଆ ମିଳୁନାହିଁ। ଏହା କେଉଁ ପ୍ରକାର ନୌଟଙ୍କି ମୋଦି ଜୀ ? ମୁଁ ଦିଲ୍ଲୀରେ ଖୋଲା ଖୋଲି ଭାବରେ ବୁଲୁଛି, କୁହନ୍ତୁ କେଉଁଠାକୁ ଯିବି ? ଆପଣ ଯେଉଁ ଜାଗାକୁ କହିବେ ମୁଁ ସେଇଠି ପହଞ୍ଚିବି।”

ଅନ୍ୟ ପକ୍ଷରେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ। ସେ ଟୁଇଟ କରି କହିଛନ୍ତି ଯେ “ଯେଉଁ ସମୟରେ ଦେଶର ସାଧାରଣ ଜନତା ମୁଦ୍ରାସ୍ଫୀତି ସହ ଲଢ଼ୁଛନ୍ତି, କୋଟି କୋଟି ଯୁବକ ବେକାର ଅଛନ୍ତି, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୋଧରେ ଲଢ଼ିବା ଉଚିତ୍। ଏହା କରିବା ବଦଳରେ ସେମାନେ ନିଜ ଦେଶ ସହିତ ଲଢେଇ କରୁଛନ୍ତି। ପ୍ରତିଦିନ ସକାଳେ ଉଠି କେନ୍ଦ୍ର ସରକାର ସିବିଆଇ-ଇଡି ଖେଳ ଆରମ୍ଭ କରିଦେଉଛନ୍ତି | ଏହିପରି ଚାଲିଲେ ଦେଶ କିପରି ଅଗ୍ରଗତି କରିବ? ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ସିବିଆଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡ଼ିଆଙ୍କ ଘରେ ରେଡ୍ କରିଥିଲା। ଏହାପରେ ମନୀଷଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ। ନୋଟିସ୍ ଜାରି ହେବାପରେ କେନ୍ଦ୍ର ସରକାରଙ୍କ ଉପରେ ଏନେଇ ବର୍ଷିଛନ୍ତି ମନୀଷ ସିଶୋଡ଼ିଆ।

Related Posts