ଅମୃତସର (ସତ୍ୟପାଠବ୍ୟୁରୋ) : ପଞ୍ଜାବର ଅମୃତସର ଜିଲ୍ଲାରେ କର୍ତ୍ତବ୍ୟରତ ସବ୍-ଇନ୍ସପେକ୍ଟର (ଏଏସଆଇ) ହରଜିତ୍ ସିଂହଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଶୁକ୍ରବାର ଭୋର ପ୍ରାୟ ୨:୩୦ ସମୟରେ ଗେଟ୍ ହାକିମା ଅଞ୍ଚଳରେ ଡ୍ୟୁଟିରେ ଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଅନ୍ଧାଧୁନିଆ ଗୁଳିଚାଳନା କରିଥିଲେ। ୫୦ ବର୍ଷୀୟ ଏଏସଆଇ ହରଜିତଙ୍କ ଶରୀରରେ ତିନୋଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଅମନଦୀପ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ସହିଦଙ୍କ ଅସୀମ ସାହସିକତା ଓ ନିଷ୍ଠାର ଉଚ୍ଚ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ସହିଦ ଏଏସଆଇଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ଅପରପକ୍ଷରେ, ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ ଅମୃତସର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। କର୍ତ୍ତବ୍ୟରତ ପୋଲିସ ଅଫିସରଙ୍କୁ ଏପରି ହତ୍ୟା କରାଯିବା ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ପ୍ରଶାସନ ଅପରାଧୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
