ରାଜ୍ୟରେ ଏଣିକି ଅଧ୍ୟାପକ ବି ହୋଇପାରିବେ ଆଇଏଏସ୍‌, ସୁପାରିସ୍ କଲା ଉଚ୍ଚଶିକ୍ଷା ବିଭାଗ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଏଣିକି ଅଧ୍ୟାପକ ବି ହୋଇପାରିବେ ଆଇଏଏସ୍‌। ଦୀର୍ଘଦିନ ହେବ ଅଣପ୍ରଶାସନିକ ସେବାରୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଯୋଗ୍ୟ ଅଧିକାରୀ ମିଳୁନାହାନ୍ତି । ବାରମ୍ବାର ରିମାଇଣ୍ଡର ପଠାଯାଉଥିଲେ ମଧ୍ୟ ପ୍ରଶାସନିକ ବିଭାଗଗୁଡ଼ିକ ଆଇଏଏସ୍ ପଦବୀ ପାଇଁ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ନାଁ ସୁପାରିଶ କରିବାରେ ବିଫଳ ହୋଇଛନ୍ତି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରଥମଥର ପାଇଁ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରର ଅଫିସର ବା ଅଧ୍ୟାପକମାନଙ୍କୁ ଏହି ଅଣପ୍ରଶାସନିକ ସେବା ବର୍ଗରେ ସାମିଲ କରି ସେମାନଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେବା ନିମନ୍ତେ ସୁପାରିସ୍ କରିଛି।

ବିଭାଗ କହିଛି ଯେ, ଅଣପ୍ରଶାସନିକ ସେବା ତାଲିକାରେ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରକୁ ସାମିଲ କରାଯାଇନାହିଁ । ଯେଉଁ କାରଣରୁ ଗ୍ରୁପ-ଏ ବର୍ଗର ଅଫିସରମାନେ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପଦବୀ ନିମନ୍ତେ ଚୟନ ନିମନ୍ତେ ମନୋନୟନ ହେବାରୁ ବଞ୍ଚିତ ହେଉଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଓଇଏସ କ୍ୟାଡ଼ରରେ ଅଧ୍ୟାପକମାନେ ଗ୍ରୁପ୍‌-ବି ଅଫିସର ଭାବେ ଚାକିରି ପାଇ କାର୍ଯ୍ୟ କରିବାର ୮ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପଦୋନ୍ନତି ପାଇଥାନ୍ତି । ସେମାନଙ୍କ ଦରମା ହାର ୯୩୦୦-୩୪୮୦୦ (ଗ୍ରେଡ୍ ପେ-୫୪୦୦ଟଙ୍କା) ରହିଥାଏ, ଯାହାକି ଓଏଏସ୍ କ୍ୟାଡ଼ରରେ ଡେପୁଟି କଲେକ୍ଟର ପାହ୍ୟା ସହ ସମାନ। ତେଣୁ ଅଣପ୍ରଶାସନିକ ସେବା ବର୍ଗରେ ଗ୍ରୁପ୍ -ଏ ବର୍ଗର ଅଧ୍ୟାପକମାନଙ୍କୁ ସାମିଲ କରି ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପାଇଁ ମନୋନୟନବେଳେ ସେମାନଙ୍କ ନାଁକୁ ସୁପାରିଶ ପାଇଁ ସାମିଲ କରାଯାଉ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି।

ଏହା ପୂର୍ବରୁ ଗତ ଏପ୍ରିଲ ୭ତାରିଖ ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଭାଗକୁ ଚିଠି ଲେଖି ସିଲେକ୍ସନ କୋଟାରେ ଖାଲି ପଡ଼ିଥିବା ୩ଟି ଆଇଏଏସ୍ ପଦବୀକୁ ପୂରଣ ନିମନ୍ତେ ରାଜ୍ୟର ଅଣପ୍ରଶାସନିକ ସେବା ଅଫିସର (ଏନଏସସିଏସ) ଙ୍କ ତାଲିକା ମେ’ ୬ତାରିଖ ସୁଦ୍ଧା ପଠାଇବାକୁ କୁହାଯାଇଥିଲା। ମାତ୍ର ୩ କିମ୍ବା ୪ଟି ବିଭାଗକୁ ଛାଡ଼ି ଦେଲେ ଅନ୍ୟ ବିଭାଗଗୁଡ଼ିକ ଅଫିସରଙ୍କ ନାଁ ପଠାଇ ନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ଅଗଷ୍ଟ ୧୮ତାରିଖରେ ସବୁ ବିଭାଗକୁ ରିମାଇଣ୍ଡର ପଠାଇ ଆସନ୍ତା ସେପ୍ଟେମ୍ବର ୮ତାରିଖ ସୁଦ୍ଧା ରାଜ୍ୟ ଅଣପ୍ରଶାସନିକ ସେବା ଅଫିସରଙ୍କ ତାଲିକା ଦେବାକୁ କହିଥିଲା । ଏଯାବତ୍ ପ୍ରାୟ ୧୨ଟି ବିଭାଗ ନିଜର ତାଲିକା ପଠାଇ ନଥିବା ଜଣାପଡ଼ିଛି।

Related Posts