(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶୁକ୍ରବାର ଦିନ ଘୋଷଣା ହୋଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଫରେଷ୍ଟ ସର୍ଭିସ (ଓଏଫଏସ) ପରୀକ୍ଷା ଫଳ । ଆୟୋଗଙ୍କ ପକ୍ଷରୁ ମୋଟ ୬୭ ଜଣ ସଫଳ ପରୀକ୍ଷାର୍ଥୀଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି। ତେବେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅ ମାନେ ଅଧିକ ଭଲ କରିଛନ୍ତି। ଟପ୍ ଆଠଜଣଙ୍କ ମଧ୍ୟରେ ମାତ୍ର ୨ ଜଣ ପୁଅ ରହିଥିବା ବେଳେ ବାକି ଝିଅ ଅଛନ୍ତି। ଓଏଫଏସ ପରୀକ୍ଷାରେ ଆୟୁଷୀ ପତି ଟପ୍ପର ହୋଇଥିବାବେଳେ ମନସ୍ମିତା ମହାରଣା, ବିବେକ ଦାସ, ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ,ମାନସରଞ୍ଜନ ବେହେରା, ଐଶ୍ୱର୍ଯ୍ୟା ରାଉତରାୟ, ସସ୍ମିତା ବିଶ୍ୱାଳ ଓ ସାଇନଶ୍ରୀ ଦାଶ ଯଥାକ୍ରମେ ୨ରୁ ୮ ନମ୍ବର ମଧ୍ୟରେ ରହିଛନ୍ତି।
ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଶୁକ୍ରବାର ରେଜଲ୍ଟ ପ୍ରକାଶ ପାଇଥିବା ଓଡ଼ିଶା ଫରେଷ୍ଟ ସର୍ଭିସ ପରୀକ୍ଷା-୨୦୧୯ ନିମନ୍ତେ ୧୨୯୦୪ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଲିଖିତ ପରୀକ୍ଷାରେ ୨୭୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତେବେ କରୋନା ମହାମାରୀ ଯୋଗୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଓପିଏସସିଙ୍କ ଦ୍ୱାରା ସୁପାରିସ୍ କରାଯାଇଥିବା ସଫଳ ପରୀକ୍ଷାର୍ଥୀମାନେ ରାଜ୍ୟ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜେରଭେଟର(ଏସିଏଫ) ଏବଂ ଫରେଷ୍ଟ ରେଞ୍ଜର ଭାବେ କାର୍ଯ୍ୟ କରିବେ ।