ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଆକ୍ରମଣକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇଉଠିଛି। ଆକ୍ରମଣ ପଛରେ ଅଭିଷେକ ବାନାର୍ଜୀ ବିଜେପିକୁ ଦାୟୀ କରୁଥିବାବେଳେ ଏହାର ଜବାବରେ ବିଜେପିର ବରିଷ୍ଠ ନେତା ଦିଲୀପ ଘୋଷଙ୍କ ବଡ ବୟାନ ସାମ୍ନାକୁ ଆସିଛି। ତେବେ ବିଜେପି ନେତା ଦିଲୀପ ଘୋଷ ଅଭିଷେକ ବାନାର୍ଜୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି, ଅଭିଷେକ ବାନାର୍ଜୀ ବିଜେପି ଉପରେ ଆକ୍ରମଣ କରିବା ଏବଂ ତାଙ୍କ ଦଳକୁ ଧ୍ୱଂସ କରିବାର ମିଥ୍ୟା ଅଭିଯୋଗ ଲଗାଉଛନ୍ତି। କିନ୍ତୁ ଯଦି ବିଜେପି ପ୍ରକୃତରେ ଟିଏମସିକୁ ଶେଷ କରିବାକୁ ଚାହିଁଥାନ୍ତା, ତେବେ ଏଥିପାଇଁ ୧୫ ଦିନର ସମୟ ମଧ୍ୟ ଲାଗିନଥାନ୍ତା। ପଶ୍ଚିମବଙ୍ଗରୁ ଟିଏମସିର ଚିହ୍ନବର୍ଣ୍ଣ ମିଳିନଥାନ୍ତା ବୋଲି କହିଛନ୍ତି।
ଦିଲୀପ ଘୋଷ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଷମତାକୁ ଆସିବା ପରେ ବି ବିଜେପି ସବୁବେଳେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟା କରୁଛି ଏବଂ କାହାକୁ ବି ଆଇନ ନିଜ ହାତକୁ ନେବାକୁ ଦଳ ଅନୁମତି ଦେବ ନାହିଁ। ଟିଏମସି ଶାସନକାଳକୁ ଟାର୍ଗେଟ୍ କରି ସେ ଦାବି କରିଛନ୍ତି ଯେ, ଗତ ୧୫ ବର୍ଷ ମଧ୍ୟରେ ବେଙ୍ଗଲରେ ପ୍ରାୟ ୪୦ ହଜାର ଲୋକ ରାଜନୈତିକ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ରାଜ୍ୟର ସାଧାରଣ ଜନତା ଏହି ଅତ୍ୟାଚାର ସହିଛନ୍ତି ଏବଂ ଏବେ ସେମାନେ ଏହାର ହିସାବ ଚାହୁଁଛନ୍ତି।
ଦିଲୀପ ଘୋଷ ଖୁଲାସା କରିଛନ୍ତି ଯେ, ଟିଏମସିର ନିଜ ନେତାମାନଙ୍କ ହତ୍ୟା ମାମଲାରେ ମଧ୍ୟ ଦଳୀୟ ସଦସ୍ୟମାନେ ରାଜ୍ୟ ପୋଲିସ ଉପରେ ଭରସା ନକରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ତଦନ୍ତ ଦାବି କରିଥିଲେ, ଯାହା ସେମାନଙ୍କର ପ୍ରଶାସନିକ ବିଫଳତାକୁ ଦର୍ଶାଉଛି। ଅଭିଷେକ ବାନାର୍ଜୀ ଦାବି କରିଥିଲେ ଯେ, ବିଜେପି ଯୋଜନାବଦ୍ଧ ଭାବେ ତୃଣମୂଳ କଂଗ୍ରେସର ନେତାମାନଙ୍କୁ ଟାର୍ଗେଟ୍ କରୁଛି ଏବଂ ରାଜ୍ୟ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।ଅନ୍ୟପଟେ, ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଜେପି ଉପରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଅଭିଷେକ ବାନାର୍ଜୀଙ୍କର ଉପଯୁକ୍ତ ଚିକିତ୍ସା କରାଇ ନଦେବାକୁ ବିଜେପି ଏବେ ଡାକ୍ତରଖାନା ଏବଂ ଡାକ୍ତରମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି ବୋଲି କହିଛନ୍ତି।
