ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯଦି ପିଲାମାନେ ସକାଳ ୭ଟାରେ ସ୍କୁଲ୍‌ ଯାଇପାରିବେ, ତେବେ ବିଚାରପତି ଏବଂ ଓକିଲମାନେ କାହିଁକି ୯ଟା ବେଳେ ଅଦାଲତକୁ ଆସି ପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟର ବିଚାରପତି ୟୁ.ୟୁ. ଲଳିତ ।ଆଜି ସମୟର ଘଣ୍ଟାଏ ଆଗରୁ ଗୋଟାଏ ମାମଲାର ଶୁଣାଣି ଆରମ୍ଭ କରି ଜଷ୍ଟିସ ଲଳିତ ଏହା କହିଛନ୍ତି। ବିଚାରପତି ଲଳିତ ଆଜି ପୂର୍ବାହ୍ନ ୯.୩୦ରେ ମାମଲା ଶୁଣାଣି ଆରମ୍ଭ କରିଥିଲେ। ତାଙ୍କ ଖଣ୍ଡପୀଠରେ ବିଚାରପତି ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆ ମଧ୍ୟ ଥିଲେ।

ଗୋଟିଏ ମାମଲାରେ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ମୁକୁଲ୍‌ ରୋହତଗି ଶୀଘ୍ର ଆରମ୍ଭ ହୋଇଥିବା ଶୁଣାଣି ପାଇଁ ଖଣ୍ଡପୀଠଙ୍କୁ ପ୍ରଶଂସା କରିଥିଲେ। ସେ କହିଲେ, ଅଦାଲତ ଆରମ୍ଭ କରିବା ଲାଗି ସକାଳ ୯.୩୦ ଅଧିକ ପ୍ରକୃଷ୍ଟ ସମୟ ।ପ୍ରତ୍ତ୍ୟୁତର ଦେଇ ବିଚାରପତି ଲଳିତ କହିଥିଲେ, ମୋ ମତରେ ଅଦାଲତ ଶୀଘ୍ର ଆରମ୍ଭ ହେବା ଉଚିତ। “ପିଲାମାନେ ଯଦି ସକାଳ ୭ଟାରେ ସ୍କୁଲ୍‌ ଯାଇ ପାରିବେ, ଆମେ କାହିଁକି ସକାଳ ୯ଟାରେ ଅଦାଲତକୁ ଆସିପାରିବା ନାହିଁ?”

ତେବେ ସାଧାରଣ କାର୍ଯ୍ୟ ଦିବସଗୁଡ଼ିକରେ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ପୂର୍ବାହ୍ନ ୧୦.୩୦ରେ ଶୁଣାଣି ଆରମ୍ଭ କରନ୍ତି।ଅପରାହ୍ଣ ୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତିକୁ ବାଦ ଦେଲେ ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୁଣାଣି ଚାଲେ। ବିଚାରପତି ଲଳିତ ଏହି ପ୍ରସଙ୍ଗରେ ପ୍ରସ୍ତାବ ଦେଇ କହିଛନ୍ତି ।ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ସବୁ ସକାଳ ୯ଟାରେ ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲୁ। ଏହା ପରେ ଅଧଘଣ୍ଟା ପାଇଁ ବିରତି ନେଇ ପୁଣି ମଧ୍ୟାହ୍ନ ୧୨ଟାରେ ଶୁଣାଣି ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ଶେଷ କରାଯାଉ। ଫଳତଃ ସନ୍ଧ୍ୟା ବେଳେ ଅଧିକ କାମ କରିବା ଲାଗି ଆମେ ସମୟ ପାଇପାରିବା।

ସୂଚନା ଅନୁସାରେ ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଏନ୍.ଭି ରମନ୍ନା ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅଗଷ୍ଟ ୨୭ରୁ ବିଚାରପତି ଲଳିତ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ।