ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ବିଜେଡିର ବିଭିନ୍ନ ନେତା ଓ ମନ୍ତ୍ରୀ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କୁ ଅପରାଧୀ ବୋଲି କହି ଗୃହ ବାହାରେ ବକ୍ତବ୍ୟ ଦେଉଥିବାରୁ ଏହି ପ୍ରସଙ୍ଗରେ ଆଜି ବିଧାନସଭା ଶାସକ ଦଳ ଉପରେ ବର୍ଷିଛନ୍ତି ଜୟ ନାରାୟଣ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ମାନଙ୍କ ବିରୁଦ୍ଧରେ ଥିବା ବିଭିନ୍ନ ମାମଲା ବିଷୟରେ କହିବା ସହ ସେ ଏହି ବିଷୟରେ ସେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି।
ଏହାସହିତ ଯଦି କେବେ କୌଣସି ସାଧାରଣ ଲୋକଙ୍କ ପ୍ରତି ଖରାପ ବ୍ୟବହାର କରିଥାଏ ତେବେ ସାର୍ବଜନୀନ ଜୀବନରୁ ଓହରି ଯିବି ବୋଲି ଶ୍ରୀ ମିଶ୍ର ଗୃହରେ କହିଛନ୍ତି । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଜୟ ନାରାୟଣ କହିଛନ୍ତି ଯେ, ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ଗୃହ ବାହାରେ ତାଙ୍କୁ ଅପରାଧୀ ବୋଲି କହିବା ସହ ତାଙ୍କ ବିରୁଦ୍ଧରେ ଥିବା ମାମଲା ଗୁଡିକର ସଂଖ୍ୟା କହୁଛନ୍ତି । ସେ ଏହି ବିଷୟକୁ ବିଧାନସଭାରେ ଉତଥାପନ କରିବାକୁ ଉଚିତ ମନେ କରୁ ନ ଥିଲେ। ହେଲେ ଏପରି କରିବାକୁ ସେ ବାଧ୍ୟ ହେଉଛନ୍ତି । ସେ କହିଛନ୍ତି ଯେ ବିଜେଡି ଦଳର ୪୬ ଜଣ ବିଧାୟକଙ୍କ ନାମରେ ୧୮୦ରୁ ଉର୍ଦ୍ଧ ମାମଲା ରହିଛି ।ସେ ଏହି ବିଧାୟକ ମାନଙ୍କୁ ଅପରାଧୀ ବୋଲି କହୁ ନାହାନ୍ତି । ସେମାନେ ଅପରାଧୀ ନା ନୁହେଁ ତାହା କୋର୍ଟ ସ୍ଥିର କରିବ । ୬ ଜଣ ବିଧାୟକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ପରି ସଂଗୀନ ମାମଲା ରହିଛି । ୨ ଜଣ ବିଧାୟକଙ୍କ ବିରୁଦ୍ଧରେ ଡକାୟତି ଭଳି ଅପରାଧର ଅଭିଯୋଗ ରହିଛି । ସେହିଭଳି ବିଜେଡି ର ୯ ଜଣ ବିଧାୟକଙ୍କ ବିରୁଦ୍ଧରେ ଚୋରିର ଅଭିଯୋଗ ରହିଛି । ୪ ଜଣ ବିଧାୟକଙ୍କ ବିରୁଦ୍ଧରେ ଲାଂଚ ନେବା ଅଭିଯୋଗ ରହିଛି । ୨୮ ଜଣଙ୍କ ବିରୁଦ୍ଧରେ ଧମକ ଦେବାର ଅଭିଯୋଗ ରହିଛି । ୫ ଜଣଙ୍କ ବିରୁଦ୍ଧରେ ମହିଳା ଅସଦାଚରଣର ଅଭିଯୋଗ ରହିଥିବା ବେଳେ ଜଣେ ବିଧାୟକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ରହିଛି।
ଶ୍ରୀ ମିଶ୍ର କହିଛନ୍ତି ଯେ, ୧୯୮୨ ମସିହାରୁ ସେ ଛାତ୍ର ରାଜନୀତିରୁ ଆସିଛନ୍ତି । ବିଜେପୁର ଉପନିର୍ବାଚନରେ ବିଜୟୀ ହେବା ପାଇଁ ହତ୍ୟା ମାମଲାରେ ରାଜ୍ୟ ସରକାର ତାଙ୍କ ନାମକୁ ପୂରାଇ ଦେଇଛନ୍ତି । ଅନ୍ୟ ଯେତେ ମାମଲା ରହିଛି ତାହା ମଧ୍ୟରୁ ଅଧିକାଂଶ ହେଉଛି ହନୁମାନ ଜୟନ୍ତୀ ସମ୍ପର୍କିତ ମାମଲା। ହାଇକୋର୍ଟ ମଧ୍ୟ ତାଙ୍କ ପ୍ରତି ଲଗା ଯାଇଥିବା ମାମଲାକୁ ନେଇ ଭର୍ତ୍ସନା କରିଛନ୍ତି । ଜୟ ନାରାୟଣ ଆହୁରି କହିଛନ୍ତି ଆଶ୍ଚର୍ଯ୍ୟର ବିଷୟ ଯେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି ଯେ ନବ ଦାସ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟ ନାରାୟଣ ମିଶ୍ରଙ୍କ ହାତ ଥିବାର ସମ୍ଭାବନା ରହିଛି। ରାଜ୍ୟର ମନ୍ତ୍ରୀ ଅର୍ଥାତ ସରକାର । ତଦନ୍ତ ଆପଣ କରାଉଛନ୍ତି, ତଦନ୍ତକାରୀ ପୋଲିସ ଆପଣଙ୍କର । ଆପଣ କିପରି ଅଭିଯୋଗ ଆଣି ପାରିବେ । ମନ୍ତ୍ରୀ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁ ନାହାନ୍ତି ତ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ବିଜେଡି ବିଧାୟକଙ୍କ ନାମରେ ଏତେ ସଂଖ୍ୟାରେ ମାମଲା ରହିଥିବା ବେଳେ ତାଙ୍କୁ ଏଭଳି ଭାବେ ଚିତ୍ରଣ କରିବା କେତେ ଦୂର ଗ୍ରହଣୀୟ ।ଯଦି ସେ କୌଣସି ସାଧାରଣ ଲୋକଙ୍କ ପ୍ରତି ତାଙ୍କ ଜୀବନରେ କେବେ ହେଲେ ଖରାପ ବ୍ୟବହାର କରିଥାନ୍ତି ତେବେ ସେ ସାର୍ବଜନୀନ ଜୀବନରୁ ଓହରି ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଯେ ନାରାୟଣ କହିଛନ୍ତି। ଏହାସହିତ ଯଦି ମୁଁ ଅପରାଧୀ, ମୋ ନାଁ ରେ ଆପଣ ଚାର୍ଜସିଟ କରନ୍ତୁ ବୋଲି ସେ କହିବା ସହିତ ମୁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ, ମୋ ସହ ଖୋଲା ବିତର୍କ କରନ୍ତୁ ବୋଲି ବିଜେଡିକୁ ଆହ୍ୱାନ ଦେଇଛନ୍ତି ।
