ଭାରତ ଯଦି ରୁଷରୁ ତେଲ କିଣୁଛି, ଆମେ ବି କିଣିବୁ, ଆମେରିକା ଆମକୁ ରୋକି ପାରିବ ନାହିଁ: ପାକିସ୍ତାନ

ଦୁବାଇ : ଭାରତ ଯଦି ରୁଷରୁ ତେଲ କିଣୁଛି, ତେବେ ଆମେ ମଧ୍ୟ ଋଷ ଠୁ ତେଲ କିଣିବୁ । ଏଥିପାଇଁ ଆମେରିକା ଆମକୁ ରୋକି ପାରିବ ନାହିଁ ବୋଲି ପାକିସ୍ତାନ କହିଛି ।

ଦୁବାଇଠାରେ ପାକିସ୍ତାନ ମୁସଲିମ ଲିଗର କର୍ମୀମାନଙ୍କୁ ସମ୍ବୋଧନ କରି ପାକିସ୍ତାନର ଅର୍ଥମନ୍ତ୍ରୀ ଇସାକ୍ ଦର୍ କହିଛନ୍ତି ଯେ ଗତ ସେପ୍ଟେମ୍ବରରେ ସେ ଆମେରିକା ଗସ୍ତ କାଳରେ ଆମେରିକୀୟ ଅଧିକାରୀଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ । “ଯଦି ଆମ ପଡ଼ୋଶୀ ଦେଶ ରୁଷରୁ ତୈଳ କିଣିପାରୁଛି, ଆମେ ବି କିଣିବୁ ଓ ଆମେରିକା ଆମକୁ ଅଟକାଇପାରିବ ନାହିଁ” ସେ ଆମେରିକା ଆଗରେ ସ୍ପଷ୍ଟ କରିଦେଇଥିଲେ।

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ଯେଉଁ ସର୍ତ୍ତ ଅନୁସାରେ ରୁଷରୁ ତେଲ କିଣୁଛି, ତାଙ୍କୁ ମଧ୍ୟ ସେହି ସର୍ତ୍ତରେ ତେଲ ଦିଆଯାଉ । ଏହାର ଅର୍ଥ ହେଉଛି ଭାରତକୁ ରୁଷ ଯେତେ ପରିମାଣରେ ରିହାତି ହେଉଛି, ପାକିସ୍ତାନକୁ ମଧ୍ୟ ସେତିକି ରିହାତିରେ ତେଲ ଦିଆଯାଉ ବୋଲି ପାକିସ୍ତାନ କହୁଛି । ଏଥିପାଇଁ ଖୁବଶୀଘ୍ର ରୁଷ ସହିତ କଥାବାର୍ତ୍ତା କରାଯିବ ବୋଲି ଦର୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପାଶ୍ଚାତ୍ୟ ଦେଶଙ୍କ ଆପତ୍ତି ସତ୍ତ୍ବେ ଭାରତ ରୁଷରୁ ଶସ୍ତା ଦରରେ ତେଲ କିଣା ଜାରି ରଖିଛି । ଗତତାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ରୁଷରୁ ତେଲ କିଣା ଜାରି ରଖିବ । ସେ ଆହୁରି ମଧ୍ୟ କହିଥିଲେ ଯେ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ

Related Posts