ମୋ ସରକାର ଭାଙ୍ଗିଲେ ମୁଁ କେନ୍ଦ୍ରରେ ଆପଣଙ୍କ ସରକାରକୁ ଭାଙ୍ଗିଦେବି: କେସିଆର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବାକୁ ସେ ଏୟାରପୋର୍ଟ ନଯାଇ ନିଜର ଜଣେ ମନ୍ତ୍ରୀଙ୍କୁ ପଠାଇଦେଇଛନ୍ତି । ଏଭଳି କରିବା ସହ ସେ ବିଜେପିକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ମୋ ସରକାର ଭାଙ୍ଗିଲେ ମୁଁ କେନ୍ଦ୍ରରେ ଆପଣଙ୍କ ସରକାରକୁ ଭାଙ୍ଗିଦେବି ବୋଲି କହିଛନ୍ତି କେ.ଚନ୍ଦ୍ରଶେଖର ରାଓ। ବିଜେପିକୁ ଚ୍ୟାଲେଞ୍ଜ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ବିଜେପି ଆମ ରାଜ୍ୟରେ ଆମ ସରକାରକୁ କେବେ ହଟାଇବା ପାଇଁ ଆସିବ, ସେ ଦିନକୁ ମୁଁ ଅପେକ୍ଷା କରିଛି। ଯେଉଁଦିନ ଏଭଳି ହେବ ମୁଁ କିଛି ବି କରିବା ପାଇଁ ମୁକ୍ତ ହେବା ସହ କେନ୍ଦ୍ରରେ ଥିବ‌ା

ଆପଣଙ୍କ ସରକାରକୁ କ୍ଷମତାରୁ ହଟାଇ ଦେବି।କେସିଆର କହିଛନ୍ତି ଯେ ତେଲେଙ୍ଗାନାରେ ବସିଥିବା ବିଜେପିର କେନ୍ଦ୍ର ମନ୍ତ୍ରୀମାନେ ବର୍ତ୍ତମାନ ଦାବି କରୁଛନ୍ତି ଯେ ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ପତନ ପରେ ତେଲେଙ୍ଗାନାରେ ଟିଆରଏସ ସରକାରଙ୍କ ପତନ ହେବାର ସମୟ ଆସିଛି। ଦେଶରେ ଯାହା ଘଟୁଛି ତାହା ଭୁଲ। ଏଭଳି ପରିସ୍ଥିତିରେ ଆମେ ଚୁପ୍ ରହିବା ଉଚିତ୍ ନୁହେଁ। ଆମକୁ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ପରିବର୍ତ୍ତନ ନାମରେ ଅନ୍ୟ କିଛି ଦରକାର ନାହିଁ। ଆମକୁ ଭାରତୀୟ ରାଜନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଆବଶ୍ୟକ। ତେବେ ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଥିବାରୁ ସେଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଯାଇଛନ୍ତି । କିନ୍ତୁ ଶନିବାର ଅପରାହ୍ଣରେ ସେ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ମୁଖ୍ୟମନ୍ତ୍ରୀ କେସିଆର ନଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଶୁପାଳନ, ମତ୍ସ୍ୟଚାଷ ମନ୍ତ୍ରୀ ତଲସାନି ଶ୍ରୀନିବାସ ଯାଦବଙ୍କ ପଠାଇ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିବା ପରିବର୍ତ୍ତେ ସେ  ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସ୍ବାଗତ କରିବାକୁ ବେଗମଫେଟ୍ ବିମାନବନ୍ଦରକୁ ଯାଇଥିଲେ ବୋଲି ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts