ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ତେବେ ପଶ୍ଚିମ ଏସିଆ ଦେଶଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ କଲେଜ ନାମଲେଖା ପ୍ରକ୍ରିୟାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ସୁପ୍ରିମକୋର୍ଟ ସୋମବାର ଦିନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ଦ୍ୱାଦଶ ଶ୍ରେଣୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଫଳ ଯଥାଶୀଘ୍ର ପ୍ରକାଶ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ କହିବା ସହ ଆସନ୍ତା ଶୁକ୍ରବାର ସୁଦ୍ଧା ଏକ ଯୋଜନା ବା ରୋଡମ୍ୟାପ୍ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି। ସେପଟେ ଜଷ୍ଟିସ ମନମୋହନ ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସାଉଦୀ ଆରବର ଜଣେ ପ୍ରବାସୀ ଛାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି ସିବିଏସଇକୁ ନୋଟିସ୍ ଜାରି କରିଛନ୍ତି।ବୋର୍ଡ ପକ୍ଷରୁ ଜବାବ ରଖିବା ପାଇଁ ଅଧିକ ସମୟ ମାଗାଯାଇଥିଲା, ମାତ୍ର ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, “ଯଦି ଆବଶ୍ୟକ ପଡ଼େ, ତେବେ ରାତି ଅନିଦ୍ରା ହୋଇ କାମ କରନ୍ତୁ, କିନ୍ତୁ ଆସନ୍ତା ଶୁକ୍ରବାର (ଜୁନ୍ ୧୨) ସୁଦ୍ଧା ଏହାର ସମାଧାନ ବାହାର କରନ୍ତୁ।”
ଯେପରି ଆବେଦନକାରୀ ଏବଂ ସମାନ ସ୍ଥିତିରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରହିବ। ଅନ୍ୟପଟେ ଆବେଦନକାରୀ ଛାତ୍ରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଡଭୋକେଟ୍ ରାଜ କିଶୋର ଚୌଧୁରୀ କହିଛନ୍ତି ଯେ, ପରୀକ୍ଷା ଫଳ ପ୍ରକାଶ ନହେବା ଯୋଗୁଁ ଛାତ୍ରଙ୍କ କ୍ୟାରିୟର ଉପରେ ଗମ୍ଭୀର ପ୍ରଭାବ ପଡ଼ୁଛି। ସେ ଶେଷ ସମୟ ସୀମା ପୂର୍ବରୁ ୟୁନିଭର୍ସିଟିରେ ଆଡମିଶନ ପାଇଁ ଆବେଦନ କରିସାରିଛନ୍ତି ଏବଂ ଯଦି ରେଜଲ୍ଟ ନଆସେ, ତେବେ ସେ ନାମଲେଖା ପ୍ରକ୍ରିୟାରୁ ବଞ୍ଚିତ ହେବେ।
ଆବେଦନକାରୀ ଦର୍ଶାଇଛନ୍ତି ଯେ ତାଙ୍କ ରେଜଲ୍ଟ ଷ୍ଟାଟସ୍ରେ କୌଣସି କାରଣ ନଥାଇ ‘RL (Result Later – ପରେ ପ୍ରକାଶ ପାଇବ)’ ବୋଲି ଦେଖାଉଛି। ଏନେଇ ବୋର୍ଡକୁ ବାରମ୍ବାର ଅନୁରୋଧ ଓ ସ୍ମାରକପତ୍ର ପଠାଯାଇଥିଲେ ମଧ୍ୟ ସେମାନଙ୍କ ତରଫରୁ କୌଣସି ଉତ୍ତର ମିଳିନଥିଲା, ଯାହାଫଳରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ।ପଶ୍ଚିମ ଏସିଆ ଦେଶଗୁଡ଼ିକରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସରକାର ଏକ ଆସେସମେଣ୍ଟ ସ୍କିମ୍ (ମୂଲ୍ୟାଙ୍କନ ଯୋଜନା) ଜାରି କରିଥିଲେ। ଏହା ଅଧୀନରେ ବାତିଲ ହୋଇଥିବା ପରୀକ୍ଷାର ମାର୍କ ପିଲାଙ୍କ ତ୍ରୈମାସିକ, ଅର୍ଦ୍ଧବାର୍ଷିକ ଏବଂ ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ସ୍ଥିର କରାଯିବାର ବ୍ୟବସ୍ଥା ଥିଲା। ଛାତ୍ରଜଣକ ଦାବି କରିଛନ୍ତି ଯେ ବୋର୍ଡ ତାଙ୍କର ମଧ୍ୟ ସେହି ଆଧାରରେ ମୂଲ୍ୟାଙ୍କନ କରୁ କିମ୍ବା ସ୍ୱତନ୍ତ୍ର ପରୀକ୍ଷାରେ ବସିବାକୁ ଅନୁମତି ଦେଉ।ଏହି ସମ୍ବେଦନଶୀଳ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୧୨ (ଶୁକ୍ରବାର) ଦିନ ଅନୁଷ୍ଠିତ ହେବ।
