ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଘରୋଇ ସମ୍ପତ୍ତି ବିବାଦକୁ କେନ୍ଦ୍ରକରି ୭୨ ବର୍ଷର ବାପାଙ୍କୁ ନିର୍ଦ୍ଦୟ ଭାବେ ପିଟିଲା ପୁଅ । ଭାଇରାଲ୍ ହେବାରେ ଲାଗିଛି ଭିଡିଓ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାରେ । ତେବେ ଜଣେ ୭୨ ବର୍ଷୀୟ ବୃଦ୍ଧ ବାପା (ହାଜି ତହସୀନ) ନିଜ ଘର ବାହାରେ ଥିବା ଗଳିରେ ଏକ ଚେୟାର ଉପରେ ବସିଥିଲେ।
ଏହି ସମୟରେ ତାଙ୍କ ପୁଅ ସେଠାରେ ପହଞ୍ଚି ହଠାତ ତାଙ୍କ ଉପରେ ଚାପୁଡ଼ା ଓ ବିଧା ବର୍ଷା କରିବାକୁ ଲାଗିଲା। ବୃଦ୍ଧ ବାପାଙ୍କ ବୟସ ଏବଂ ଅସହାୟତାକୁ ଖାତିର ନକରି ପୁଅ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ତାଙ୍କ ବେକ ଚିପି ମାରିଦେବାକୁ ଚେଷ୍ଟା କରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ସମ୍ପୂର୍ଣ୍ଣ ଦୃଶ୍ୟ ପାଖରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା।ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ପ୍ରବଳ ଜନଆକ୍ରୋଶ ଦେଖିବାକୁ ମିଳିଛି।
ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିବା ପରେ କୁତୁବଶେର ଥାନା ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା। ପୁଲିସ ଭିଡିଓ ଆଧାରରେ ତଦନ୍ତ କରି ଅଭିଯୁକ୍ତ ପୁଅ ‘ଗୁଲନାଜ୍’ (କେତେକ ସ୍ଥାନରେ ଗୁଲଫିଶାନ ବୋଲି ଉଲ୍ଲେଖ ଅଛି) କୁ ଗିରଫ କରି କୋର୍ଟରେ ହାଜର କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଘରୋଇ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏହି ମାରପିଟ୍ ହୋଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଯେ, ପୁଅ ଗିରଫ ହେବା ପରେ ମଧ୍ୟ ସେହି ସ୍ନେହୀ ବାପା ଜଣକ ପୁଲିସକୁ ତାଙ୍କ ପୁଅକୁ ଛାଡ଼ିଦେବା ପାଇଁ ଗୁହାରି କରୁଥିବା ଜଣାପଡ଼ିଛି।
