‘ଆମ ଦେଶର ସେନା ଶକ୍ତିଶାଳୀ, କିନ୍ତୁ ସରକାର ବହୁତ ଦୁର୍ବଳ’: ଅସଦୁଦ୍ଦିନ ଓୱେସୀ

ଭୁବନେଶ୍ୱର୧୯/୧୨(ସତ୍ୟପାଠ ବ୍ୟୁରୋ): ଚୀନ ଭାରତରେ ଅନୁପ୍ରବେଶ କଲଣି, ହେଲେ ଆମ ସରକାର ଟିକଟକ୍ ବ୍ୟାନ କରି ଖୁସି। ଏଭଳି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ଭାରତ-ଚୀନ୍ ସୀମାରେ ଉପୁଜିଥିବା ପରିସ୍ଥିତିକୁ ନେଇ ବିରୋଧୀ ଦଳ ଲଗାତାର କେନ୍ଦ୍ର ସରକାରଙ୍କୁ ଟା‌ର୍ଗେଟ କରୁଛନ୍ତି। ଏହି କ୍ରମରେ ବର୍ତମାନ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ସରକାରଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆମର ସେନା ଶକ୍ତିଶାଳୀ କିନ୍ତୁ ସରକାର ବହୁତ ଦୁର୍ବଳ।

ଓୱେସୀ କହିଛନ୍ତି ଯେ, ଚୀନ୍ ଆମ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଆମ ସରକାର ଚୀନ୍ ସହିତ ବାଣିଜ୍ୟ କରିବାରେ ବ୍ୟସ୍ତ ଅଛନ୍ତି। ସରକାର ଚୀନ୍‌ର ନାଁ ମଧ୍ୟ ନେବାକୁ ଚାହୁଁନାହାଁନ୍ତି। ସୀମାରେ ସରକାର ଏକ ବଫର ଜୋନ୍ ସୃଷ୍ଟି କରିଛନ୍ତି, ଯେଉଁଥିପାଇଁ ସେନା ପାଟ୍ରୋଲିଂ କରିବାରେ ଅସମର୍ଥ। ଚୀନ୍ ଆମ ଜମି ଦଖଲ କରୁଥିବା ବେଳେ ସରକାର ଦେଶକୁ କହୁଛନ୍ତି ଯେ, ସବୁ ଠିକ ଅଛି। କିଛି ହେଉନାହିଁ। ଏହା କି ପ୍ରକାର ଦେଶପ୍ରେମ? ବୋଲି ଓୱେସି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଗଲୱାନ ଘଟଣା ପରେ ମଧ୍ୟ ସରକାର ଦେଶକୁ ମିଛ କହିଥଲେ ଯେ, ଦେଶକୁ କେହି ପ୍ରବେଶ କରି ନାହାଁନ୍ତି। ଯଦି ଏହା ସତ ତେବେ କେଉଁ ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ ମଧ୍ୟରେ ୧୫ରାଉଣ୍ଡ ଆଲୋଚନା ହୋଇଥିଲା? ଚୀନ୍ ସେନା ଡେପସଙ୍ଗରେ ବସି ରହିଛି। ଏହା ସହ ଅରୁଣାଚଳରେ ସେତୁ ନିର୍ମାଣ କରୁଛି, ଯାହା ଆଗାମୀ ସମୟରେ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ସୀମାରେ ଯବାନମାନେ ସହିଦ ହୁଅନ୍ତି, ସେତେବେଳେ କାର୍ଯ୍ୟାନୁଷ୍ଠାନ ନାଁରେ ଭାରତ ସରକାର କେବଳ ଟିକଟକ ଉପରେ ପ୍ରତିବନ୍ଧକ ଲଗାନ୍ତି। ଯଦି ଚୀନକୁ ନେଇ ନୀରବ ରହିବା ପଛରେ ସରକାରଙ୍କର କିଛି ଦୃଢ଼ କାରଣ ଅଛି, ତେବେ ଏହା ବିଷୟରେ ସେ କାହିଁକି କିଛି କହୁନାହାନ୍ତି? ବିତର୍କରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି? ବୋଲି ଓୱେସି ପ୍ରଶ୍ନ କରିଛନ୍ତି।

Related Posts