୧୦୦ ବଦଳରେ ଏଣିକି ୧୧୨ ଡାଏଲ୍‌ କଲେ ମିଳିବ ସମସ୍ତ ଜରୁରୀ ସେବା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ପୋଲିସ ବିଭାଗ ପକ୍ଷରୁ ଜରୁରୀ ସୂଚନା । ଜରୁରୀକାଳୀନ ପୋଲିସ ସେବା ପାଇଁ ୧୦୦ ବଦଳରେ ଏଣିକି ୧୧୨ ଡାଏଲ୍‌ କରନ୍ତୁ। ସବୁ ପ୍ରକାର ସୁବିଧା ମିଳିବ । ଡାଏଲ ୧୧୨ ସହ ଡାଏଲ ୧୦୦ର ମିଶ୍ରଣ ପରେ ପୋଲିସ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ମାର୍ଚ୍ଚ ୧୯ରେ ଡାଏଲ ୧୧୨ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  

ଏହା ଦ୍ବାରା ଜରୁରୀକାଳୀନ ସହାୟତା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡିବ ନାହିଁ। ଏହା ପରିବର୍ତ୍ତେ ଗୋଟିଏ ନମ୍ବର ଡାଏଲ କଲେ ୩ ଟି ସୁବିଧା ମିଳି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଜନସାଧାରଣଙ୍କୁ ୧୧୨ ନମ୍ବର ଡାଏଲ କଲେ ଏହି ସବୁ ସୁବିଧା ମିଳି ପାରିବ । 

ସୂଚନା ଥାଉକି ପୂର୍ବରୁ ଭିନ୍ନ ଭିନ୍ନ ଜରୁରୀକାଳୀନ ସେବା ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡୁଥିଲା । ପୋଲିସ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ପାଇଁ ୧୦୮, ଜନନୀ ଏକ୍ସପ୍ରେସ ପାଇଁ ୧୦୨, ଅଗ୍ନିଶମ ପାଇଁ ୧୦୧ ନମ୍ବର ଡାଏଲ କରିବାକୁ ପଡୁଥିଲା । କିନ୍ତୁ ଏବେ  ୧୧୨ ଡାଏଲ କଲେ ୩ ପ୍ରକାର ଜରୁରୀକାଳୀନ ସେବା ମିଳିପାରିବ ।

ଅପରପକ୍ଷରେ ଭୁବନେଶ୍ବରରେ ଷ୍ଟ୍ରିଟ୍ କ୍ରାଇମ୍ ହ୍ରାସ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ‘ସରାଇ’ ଆପ୍ ଲଞ୍ଚ୍ ହୋଇଛି । ‘ସରାଇ’ ଆପ୍ ରେ ପ୍ରତିଦିନ ହୋଟେଲ ଏବଂ ଲଜ୍ କୁ ଆସୁଥିବା ଲୋକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି । 

ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପ୍ ରେ ପଞ୍ଜୀକୃତ ହେବ । ଏଥିରେ ଆଧାରକାର୍ଡ ସମେତ ଅନ୍ୟାନ୍ୟ ପରିଚୟ ପତ୍ର ଅପଲୋଡ୍ କରିବେ ହୋଟେଲ କର୍ମଚାରୀ । ଯାହାଦ୍ବାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏ ସମ୍ପର୍କରେ ଟୁଇନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related Posts