ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚେତାବନୀ ଦେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତେବେ ସେ କହିଛନ୍ତି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯଦି ହଙ୍ଗେରୀ ସୀମା ଭିତରକୁ ଆସିବେ ତେବେ ତାଙ୍କୁ ଗିରଫ କରାଯାଇପାରେ। କାରଣ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିସାରିଛି। ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ମାଗ୍ୟାର ସ୍ପଷ୍ଟ ଭାବରେ କହିଛନ୍ତି, ହଙ୍ଗେରୀ ସୀମା ଅତିକ୍ରମ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଇସିସି ୱାରେଣ୍ଟର ସମ୍ମୁଖୀନ ହେବାକୁ ପଡିବ, ତାଙ୍କୁ ଅଟକ ରଖାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ, ହଙ୍ଗେରୀ ଆଇସିସିର ସଦସ୍ୟ ରହିବ ଏବଂ ଏଥିରୁ ଓହରିଯିବାର ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରାଯିବ। ସେପଟେ ମାଗ୍ୟାରଙ୍କ ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେ ସମ୍ପ୍ରତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ହଙ୍ଗେରୀକୁ ନିମନ୍ତ୍ରଣ କରିଥିଲେ। ଏହାକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ, ନିର୍ବାଚନ ଜିତିବା ପରେ, ୧୯୫୬ ବିଦ୍ରୋହର ୭୦ତମ ବାର୍ଷିକୀରେ ଅନେକ ଦେଶର ନେତାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ପଦକ୍ଷେପର ଏକ ଅଂଶ ଭାବରେ ନେତାନ୍ୟାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି, ନେତାନ୍ୟାହୁଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ହଙ୍ଗେରୀ ଆଇସିସି ନିୟମାବଳୀରୁ ପଛକୁ ହଟିବ ନାହିଁ ଏବଂ ଆଇନ ପାଳନ କରିବ। ୨୦୨୪ରେ, ଆଇସିସି ନେତାନ୍ୟାହୁଙ୍କ ବିରୋଓରେ ଏକ ଗିରଫ ପରୱାନା ଜାରି କରିଥିଲା, ତାଙ୍କୁ ଯୁଦ୍ଧ ଅପରାଧ ଏବଂ ମାନବତା ବିରୋଧରେ ଅପରାଧର ଅଭିଯୋଗ କରାଯାଇଥିଲା।