ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିଲେ, ଭବିଷ୍ୟତ ଅନ୍ଧାର ହୋଇଯିବ। ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ପ୍ରସଙ୍ଗରେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ଏଥିସହ ସଂସଦର ଆସନ୍ତା ବଜେଟ୍‌ ଅଧିବେଶରେ କେନ୍ଦ୍ର ସରକାରଙ୍କୁ କିଭଳି ବିଜେଡି କାଉଣ୍ଟର କରିବ ସେନେଇ ରଣନୀତି ସଂପର୍କରେ କହିଛନ୍ତି।

ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଏହା ପୂର୍ବରୁ ଆଜି ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ। ଏଥିରେ ଦଳର ସମସ୍ତ ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିନାକୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ବିଜେପି ଅପ ପ୍ରଚାର କରୁଛି। ତାକୁ କିପରି ଚେକ୍‌ ଦେଇ ପ୍ରକୃତ ସତକୁ ସଂସଦରେ ଉପସ୍ଥାପିତ କରିବୁ ଓ ଲୋକମାନଙ୍କ ସାମ୍ନାରେ ଆଣିବୁ, ତାହା ଉପରେ ମୁଖ୍ୟମନ୍ତ୍ରୀ ଟିପ୍ସ ଦେଇଛନ୍ତି।

ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲ୍‌ ନେଇ ମୁଖ୍ୟମନ୍ତ୍ରୀ ବାରମ୍ୱାର ଅନୁରୋଧ କରିଆସୁଛନ୍ତି। ଏହି ବିଲ୍‌ ପାସ୍‌ କରିବା ପାଇଁ ଦିଲ୍ଲୀରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଜେପି ସାଂସଦମାନଙ୍କ ରାଜନୀତି ଯୋଗୁ ବେଆଇନ୍‌ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ପ୍ରାୟ ୪ ଲକ୍ଷ ଘର କାଟି ଦିଆଯାଇଛି। ଏହା ଏକ ଦୁଃଖର ବିଷୟ। ଏହି ଦାବିକୁ ସଂସଦରେ ଉଠାଇବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ତାମିଲନାଡ଼ୁ ଓ ଅନ୍ୟ କେତେକ ରାଜ୍ୟ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଏସ୍‌ଟି ଲିଷ୍ଟ। ମାତ୍ର ଆଜି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଆସିପାରି ନାହିଁ। ଓଡ଼ିଶାର ଏସ୍‌ଟି ଭାଇ ଓ ଭଉଣୀଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଦିଲ୍ଲୀରେ ଦାବି ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟବୀମା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଯେଉଁ ଅପପ୍ରଚାର ଚାଲିଛି, ତାହା ଉଠାଇବୁ। ଆୟୁଷ୍ମାନ ଭାରତଠାରୁ ବିଏସକେୱାଇରେ କିଭଳି ଅଧିକ ବୀମା ମିଳୁଛି, ତାହା ବୁଝାଇବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହା ସହିତ ଓଡ଼ିଶାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ପ୍ରବେଶ ନେଇ ପିନାକୀ ମିଶ୍ର କହିଛନ୍ତି ଯେ, ଯେଉଁମାନେ ବିଆର୍‌ଏସ୍‌ ଯାଇଛନ୍ତି, ସେମାନେ ବିଜେପିରୁ ଯାଇଛନ୍ତି। ଗିରିଧର ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା। ଏବେ ସେ ବିଆର୍‌ଏସ୍‌ ଯାଇଛନ୍ତି, ମାନେ ତାଙ୍କ ପକେଟ ଭୋଟ ବିଆର୍‌ଏସ୍‌କୁ ଯିବ। ବିଜେଡି ଭୋଟ ବ୍ୟାଙ୍କ ହେଉଛି କମିଟେଡ୍ ଭୋଟ, ପ୍ରଭାବ ପଡ଼ିବନି। ଦକ୍ଷିଣ ଓଡ଼ିଶାର ୨ରୁ ୩ ଜିଲ୍ଲାରେ କିଛି ହଜାର ଭୋଟ ପାଇପାରେ ବିଆର୍‌ଏସ୍‌।