
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାଜପୁର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଥିବା ଆଭାସ ମିଳିଛି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ସଫେଇ କାମ ନାମରେ ବିପୁଳ ପରିମାଣର ଅର୍ଥ ହରିଲୁଟ୍ ହୋଇଛି। ସଫେଇ ପାଇଁ ଅନ୍ଲାଇନ୍ ବଦଳରେ ଅଫ୍ଲାଇନ୍ ଟେଣ୍ଡର କରି ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ କାମ ଦିଆଯାଉଛି। ଏହି ଘଟଣା ପଦାକୁ ଆସିବା ପରେ ଯାଜପୁର ଡିପିଏମ୍ ଦୀର୍ଘଦିନ ଧରି ଛୁଟିରେ ରହିବା ପରେ ଚଳିତମାସରେ ଇସ୍ତଫା ଦେଇଥିଲେ। ଏହି ଘଟଣାରେ ହୋଇଥିବା ଦୁର୍ନୀତିକୁ ବିରୋଧ କରିବାରୁ ଏବେ ବଳିପଡ଼ିଛନ୍ତି ଖୋଦ୍ ସିଡିଏମ୍ଓ ଡା. ବିରଞ୍ଚି ନାରାୟଣ ବାରିକ। ତାଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି କରାଯାଇଛି। ଏଭଳି ବଦଳି ପରେ ମାନସିକ ଚାପରେ ପଡ଼ି ସିଡିଏମ୍ଓ ମଧ୍ୟ ସ୍ବେଚ୍ଛାକୃତ ଅବସର ନେବେ ବୋଲି ପ୍ରକାଶ କହିଛନ୍ତି।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ଶ୍ରୀ ବାରିକ ଏହାକୁ ବିରୋଧ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ସମସ୍ତ ପ୍ରକାର ଟେଣ୍ଡରକୁ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟିଂ ଜରିଆରେ ଅର୍ଥାତ୍ ଅନଲାଇନରେ କରିବାର ନିୟମ ରହିଛି। ତେବେ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟା ତଳେ ଥିବା ନିର୍ଦ୍ଦିଷ୍ଟ ଠିକାସଂସ୍ଥାକୁ ଏହି ଦାୟିତ୍ବ ଦିଆଯିବା ଦ୍ବାରା ସରକାର କ୍ଷତି ସହୁଥିବାରୁ ସିଡିଏମ୍ଓ ଶ୍ରୀ ବାରିକ ଏହାକୁ ବିରୋଧ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ପୂର୍ବତନ ଡିପିଏମ୍ ଚିନ୍ମୟ ବରାଳ ଦୀର୍ଘବର୍ଷ ହେଲା ବିରଜା ଟ୍ରେଡର୍ସକୁ ନିର୍ମଳ ଯୋଜନାରେ ହାଉସ କିପିଂ ଦାୟିତ୍ବ ଦେବାରେ ସହଯୋଗ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଫଳରେ ଜିଲ୍ଲାର ସମସ୍ତ ଚିକିତ୍ସାଳୟ ସଫେଇ ପାଇଁ ମାସିକ ୨୫ ଲକ୍ଷ ଖର୍ଚ୍ଚ କରାଯାଉଥିବା ବେଳେ ବାର୍ଷିକ ୩ କୋଟି ଖର୍ଚ୍ଚ ହେଉଛି। ମାତ୍ର ବିବରଣୀରେ ତାଳମେଳ ରହୁନଥିଲା। କେନ୍ଦୁଝର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ବାର୍ଷିକ ୨୦ ଲକ୍ଷ ଟଙ୍କା
କମ୍ ଖର୍ଚ୍ଚ ହେଉଥିବା ବେଳେ ଯାଜପୁରରେ ଅଧିକ ହେଉଥିବା ସିଡିଏମ୍ଙ୍କ ନଜରକୁ ଆସିଥିଲା। ଏ ନେଇ ଖୋଳତାଡ଼ ଆରମ୍ଭ ହେବାରୁ ଡିପିଏମ୍ ଶ୍ରୀ ବରାଳ ପ୍ରାୟ ଦେଢ଼ ମାସ କାଳ କାର୍ଯ୍ୟାଳୟକୁ ଆସିଲେ ନାହିଁ କି କୈଫିୟତ ତଲବ ପରେ କୌଣସି ଉତ୍ତର ଦେଇନାହାନ୍ତି। ବରଂ ଚଳିତମାସରେ ସେ ଇସ୍ତଫା ଦେଇଦେଇଛନ୍ତି। ଏହି ଅନିୟମିତତା ସଂପର୍କରେ ଅବଗତ ହେବାପରେ ସ୍ବାସ୍ଥ୍ୟ କମିଟି ତଥା ଜିଲ୍ଲାପାଳ ଅଫ୍ଲାଇନ୍ ଟେଣ୍ଡର ବନ୍ଦ କରି ଅନ୍ଲାଇନ୍ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ଦୁର୍ନୀତି ପଦାରେ ପଡ଼ିବା ପରେ ତାଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି କରିଦିଆଗଲା ବୋଲି ସିଡିଏମ୍ଓ ଶ୍ରୀ ବାରିକ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘୧୦ ବର୍ଷ କେବିକେ ଜିଲ୍ଲାରେ କାମ କରି ନିଜ ଜିଲ୍ଲାକୁ ଆସିଥିଲି। ରାଜନୈତିକ ଚାପରେ ପୁନର୍ବାର କଳାହାଣ୍ଡିକୁ ବଦଳି କରାଯାଇଛି। ବିନା ସ୍ବାର୍ଥରେ ଜିଲ୍ଲାର ବିକାଶ ପାଇଁ ଅଣ୍ଟା ଭିଡିଲେl ପରିଣାମ କଣ ହୁଏ ତାହା ଏବେ ବୁଝିପାରିଛି।’ ଆସନ୍ତା ୩୦ ତାରିଖରେ ତାଙ୍କର ଯାଜପୁରରୁ ରିଲିଭ ହେବାର ଅଛି। ତେବେ ଆଉ ନୂତନ କର୍ମସ୍ଥଳୀରେ ଯୋଗ ନଦେଇ ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିବେ ବୋଲି କହିଛନ୍ତି। ଏନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ଡିପିଏମ୍ ଶ୍ରୀ ବରାଳଙ୍କୁ ଯୋଗାଯୋଗ କରାଯିବାରୁ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିବା ସହ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଥିଲେ।