
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍.ସି. ମେରୀ କମ୍ ଟୋକିଓ ଅଲିମ୍ପିକ୍ସ ମହିଳା ୫୧ କେଜି ବିଭାଗ ବକ୍ସିଂରେ ପ୍ରି-କ୍ୱାର୍ଟର ଫାଇନାଲରେ ହାରିଯାଇଛନ୍ତି। ତେବେ ହାରିବା ପରେ ବି ଆତ୍ମ ବିଶ୍ଵାସ ହରାଇ ନାହାନ୍ତି ମେରୀ । ସେ 40 ବର୍ଷ ବୟସ ପର୍ଯ୍ୟନ୍ତ ଖେଳ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ସହ ଆଲୋଚନାରେ ମେରୀ କମ୍ କହିଛନ୍ତି ଯେ ସେ 40 ବର୍ଷ ବୟସ ପର୍ଯ୍ୟନ୍ତ ଖେଳିପାରିବେ। ଟୋକିଓ ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ କଲମ୍ବିଆର ତୃତୀୟ ସିଡ୍ ଇନଗ୍ରିଟ୍ ଭାଲେନ୍ସିୟାଙ୍କ ଠାରୁ ସୁପରମମ୍ ମେରୀ କମ୍ ଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଆଗାମୀ ଦିନରେ ମେରୀ କମ୍ ଗେମ୍ ଜାରି ରଖିବେ କି ପଚାରି ଯିବାରୁ , ସେ କହିଥିଲେ, ‘ ହଁ, କାହିଁକି ନୁହେଁ ? ମୁଁ ଆଗାମୀ 40 ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବା ଜାରି ରଖିବି ବୋଲି ସେ କହିଛନ୍ତି।
ମ୍ୟାଚ୍ ପରେ ସୁପର ମମ୍ କହିଛନ୍ତି ଯେ ସେ ଯେତେବେଳେ ଜାଣିଲେ ଯେ ସେ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ସେ ବିବ୍ରତ ହୋଇଥିଲେ। ମ୍ୟାଚର ଦୁଇ ଘଣ୍ଟା ପରେ ଗଣମାଧ୍ୟମ ସହ ଆଲୋଚନା କରି ମେରୀ କମ୍ କହିଛନ୍ତି, ‘ମୁଁ ଭାବିଥିଲି ଯେ ମୁଁ ଜିତିଛି, କିନ୍ତୁ କିଛି ସମୟ ପରେ କିରନ ରିଜିଜୁଙ୍କ ଟ୍ୱିଟ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇ ବିବ୍ରତ ହୋଇପଡିଥିଲି।’
ଟ୍ବିଟର ପୃଷ୍ଠାରେ ମନ୍ତ୍ରୀ ଲେଖିଛନ୍ତି, ପ୍ରିୟ ମେରୀ କମ୍ ତୁମେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ପରାସ୍ତ ହୋଇଛ। ହେଲେ ତୁମେ ସର୍ବଦା ଜଣେ ଚମ୍ପିଆନ। ତୁମେ ଯାହା ହାସଲ କରିପାରିଛ; ବିଶ୍ବର କୌଣସି ମହିଳା ମୁଷ୍ଟିଯୋଦ୍ଧା ତାହା ହାସଲ କରିନାହାନ୍ତି। ତୁମେ ଜଣେ କିମ୍ବଦନ୍ତୀ। ଭାରତ ତୁମ ପାଇଁ ଗର୍ବ କରେ। ବକ୍ସିଂ ଏବଂ ଅଲିମ୍ପିକ୍ସ ତୁମକୁ ସର୍ବଦା ଝୁରିବ।
ମ୍ୟାଚ୍ ଶେଷରେ ରେଫରି ଭାଲେନ୍ସିୟାଙ୍କ ହାତ ଉପରକୁ ଉଠାଇଥିଲେ , ମେରି କମ୍ ଙ୍କ ଆଖିରୁ ଲୁହ ବୋହି ପଡ଼ି ଥିଲା । ପରେ ସେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ବର୍ତ୍ତମାନ ଗେମ୍ ରୁ ଅବସର ନେବାକୁ ମୋର ଇଚ୍ଛା ନାହିଁ। ସେ କହିଥିଲେ, ‘ମୁଁ ଏବେ ବି ଭାବୁଛି ଯେ ମୁଁ ଆଗକୁ ଲଢିବା ପାଇଁ ପ୍ରସ୍ତୁତ ଅଛି। ମୁଁ 20 ବର୍ଷ ଧରି ବକ୍ସିଂ କରିଆସୁଛି ।
ମେରୀ କମ୍ଙ୍କଠାରୁ ଭାରତ ପଦକ ଆଶା କରିଥିବା ବେଳେ ସେ ୫୧ କିଗ୍ରାର ପ୍ରିକ୍ବାର୍ଟରଫାଇନାଲରେ କଲମ୍ବିଆ ପ୍ରତିଯୋଗୀ ଇଙ୍ଗ୍ରିଟ୍ ଭାଲେଁସିଆଙ୍କ ନିକଟରୁ ପରାଜିତ ହୋଇଥିଲେ। ମ୍ୟାଚ ହାରିବା ପରେ ମେରୀ କମ୍ ରିଙ୍ଗ ଭିତରେ ଖେଳୁଆଡ ମନୋଭାବ ଦେଖାଇ ଇଙ୍ଗ୍ରିଟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ହେଲେ ଉକ୍ତ ପରାଜୟ ମେରୀ କମ୍ଙ୍କୁ ବହୁତ କଷ୍ଟ ଦେଇଥିଲା। ସେ ରିଙ୍ଗ ବାହାରକୁ ଆସିବା ପରେ କାନ୍ଦି ପକାଇଥିଲେ। ପରାଜୟ ପାଇଁ ବିଚାରକଙ୍କ ଭୂଲ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ମୁଁ ବିଜୟୀ ହୋଇଥିଲି। କିନ୍ତୁ ବିଚାରକଙ୍କ ନିଷ୍ପତ୍ତି ପାଇଁ ମୁଁ ଇଙ୍ଗ୍ରିଟଙ୍କ ନିକଟରୁ ପରାଜିତ ହୋଇଛି ବୋଲି ମେରୀ କମ୍ କହିଛନ୍ତି। ମୁକାବିଲା ଶେଷରେ ଦୁଇଜଣ ବିଚାରକ ଇଙ୍ଗ୍ରିଟଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିବା ବେଳେ ଦୁଇଜଣ ମେରୀ କମ୍ ବିଜୟୀ ବୋଲି କହିଥିଲେ।