ଅଟୋ ଚଢ଼ାଇ ଧାନବାଦ ଜଜ୍‌ ହତ୍ୟା ମାମଲା ହତ୍ୟା ଘଟଣା: ତଦନ୍ତ କରିବ ସିବିଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଝାଡ଼ଖଣ୍ଡର ଧନବାଦ ଠାରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଚଢ଼ାଇ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଶନିବାର ଦିନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସିବିଆଇଙ୍କୁ ତଦନ୍ତ ଭାର ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।ଝାଡଖଣ୍ଡ ସରକାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି।

28 ଜୁଲାଇ ଦିନ ସକାଳେ ବିଚାରପତିଙ୍କୁ ପଛ ପଟୁ ଅଟୋ ଚଢ଼ାଇ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଏମିତିକି ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

ଏହି ଘଟଣାରେ ଝାଡଖଣ୍ଡ ପୋଲିସ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଅଟୋକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା।

ଆଡିସନାଲ ସେସନ୍ସ ଜଜ୍‌ ଉତ୍ତମ ଆନନ୍ଦ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ହଠାତ୍‌ ଗୋଟିଏ ଅଟୋ ପଛପଟୁ ଆସି ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିଲା। ଗାଡ଼ି ଧକ୍କା ପରେ ସେ ରାସ୍ତା କଡ଼ରେ ଟଳି ପଡ଼ିଥିଲେ। କିଛି ସମୟ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପ୍ରଥମେ ଏହାକୁ ହିଟ୍‌ ଆଣ୍ଡ ରନ୍‌ କେସ୍‌ ବୋଲି ବିଚାର କରାଯାଉଥିଲା। କିନ୍ତୁ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା।

ଉତ୍ତମ ଆନନ୍ଦ ଧନବାଦରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରୁଥିଲେ। ନିକଟରେ ସେ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଥିଲେ। ତେଣୁ ତାଙ୍କ ହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କା କରାଯାଉଛି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଇନ୍ସପେକ୍ଟର ଜେନେରାଲ ଆମୋଲ ବିନୁକାଣ୍ଟ ହୋମକର କହିଛନ୍ତି, “ଦୁଇ ଜଣ – ଲଖନ କୁମାର ଭର୍ମା ଏବଂ ରାହୁଲ ଭର୍ମାଙ୍କୁ ଗିରଫ କରାଯାଇଛି ଏବଂ ଅଟୋ ରିକ୍ସା ଜବତ କରାଯାଇଛି। ଅଭିଯୁକ୍ତମାନେ ନିଜ ଅପରାଧ ମଧ୍ୟ ସ୍ୱୀକାର କରିଛନ୍ତି।”

ଜଜଙ୍କ ହତ୍ୟାକୁ ନେଇ ହେଉଥିବା କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟ ଏବଂ ଝାଡ଼ଖଣ୍ଡ ହାଇକୋର୍ଟରେ ୩ ଅଗଷ୍ଟ ସୁଦ୍ଧା ଦାଖଲ କରିବେ ରାଜ୍ୟ ସରକାର। ଏହା ସହ ରାଜ୍ୟରେ କୋର୍ଟ ଏବଂ ଜଜ୍‌ଙ୍କ ସୁରକ୍ଷାକୁ ନେଇ ଏକ ରିପୋର୍ଟ ମଧ୍ୟ ଦାଖଲ କରାଯିବ।

Related Posts