ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ, ଅସନ୍ତୋଷଙ୍କୁ ମନାଇବାପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ସରକାରଂକ ସାଥ ଦେଇଛନ୍ତି ଅନେକ ଶିଳ୍ପ ଉଦ୍ୟଗପତି ।
ସେପଟେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବା ନେଇ ଆଗକୁ ଆସିଛି ଇମ୍ଫା। ଏନେଇ ଟ୍ୱିଟ କରି ଘୋଷଣା କରିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ଏମଡି ଶୁଭ୍ରକାନ୍ତ ପଣ୍ଡା।

‘ଅଗ୍ନିପଥ’ ଯୋଜନାକୁ ପ୍ରଥମରୁ ସ୍ୱାଗତ କରିଥିବା ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା ଦେଶସେବା ସୁଯୋଗ ଦେବାରେ ଏହା ନିଆରା ସ୍କିମ୍‌ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି, ‘ଟୁର୍ ଅଫ୍‌ ଡ୍ୟୁଟି’ ପରେ ଅଗ୍ନିବୀରମାନଙ୍କୁ ନେବାକୁ ଶିଳ୍ପଜଗତ ଆଗଭର ହେବ। ସେହି ହିସାବରେ ଇମ୍ଫା ମଧ୍ୟ ଅଗ୍ନିବୀରଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦେବ।

ସମଗ୍ର ଦେଶରେ ‘ଅଗ୍ନିପଥ’କୁ ନେଇ ତୁମ୍ବି ତୋଫାନ୍‌ ଲାଗି ରହିବା ସହ ଜଳୁଛି ନିଆଁ। ଏପରି ସମୟରେ ୪ ବର୍ଷ ପରେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବାକୁ ଆଗଭର ହେଲେଣି ବହୁ ରାଜ୍ୟ ଓ ଘରୋଇ ଶିଳ୍ପ ଉଦ୍ୟୋଗ। ଗତକାଲି ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବାକୁ ମହିନ୍ଦ୍ରା ଗ୍ରୁପ୍‌ ଘୋଷଣା କରିଥିବାବେଳେ ଆଜି ସମାନ କଥା ଦୋହରାଇଛି ଇମ୍ଫା। ଏଥିସହ ୪ ବର୍ଷ ପରେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବାର ଗ୍ୟାରେଣ୍ଟି ଦେଇଛନ୍ତି ହରିୟାଣା ସରକାର।

ଗତକାଲି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ଅଗ୍ନିବୀରଙ୍କୁ ଏକ ବଡ଼ ଅଫର୍‌ ଦେଇଛନ୍ତି। ଅବସର ପରେ ଇଚ୍ଛୁକ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ନିଯୁକ୍ତି ମିଳିବ ବୋଲି ସେ ଶତ ପ୍ରତିଶତ କଥା ଦେଇଛନ୍ତି। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିନ୍ଦ୍ର ଗ୍ରୁପ୍। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ। ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ଯ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା।

‘ଅଗ୍ନିପଥ’କୁ ସମଗ୍ର ଦେଶରେ ଜୋରଦାର ବିରୋଧ କରାଯାଉଥିବା ବେଳେ ‘ଅଗ୍ନିବୀର’ଙ୍କ ନିଯୁକ୍ତି ପାଇଁ ସ୍ଥଳସେନା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ।