ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରିକ୍ସା ଚାଳକଙ୍କୁ ନିଜ ସବୁ ସମ୍ପତ୍ତି ଦାନ କରି କରି ଚର୍ଚ୍ଚାରେ ରହିଥିବା ମୀନତି ପଟ୍ଟନାୟକ ବିଜେଡିରେ ସାମିଲ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମୀନତି ବିଜେଡିରେ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ରହିଥିଲେ। ଜଣେ ରିକ୍ସା ଚାଳକଙ୍କ ନାମରେ କୋଟିଏ ଅଧିକ ଟଙ୍କାର ସମ୍ପତ୍ତି ଲେଖି ଦେଇ ନିଜ ମହାନତାର ପରିଚୟ ଦେଇଥିଲେ କଟକ ସୁତାହାଟ ଅଞ୍ଚଳର ମୀନତି ପଟ୍ଟନାୟକ। ସୂଚନାଯୋଗ୍ୟ ଯେ, ସମ୍ବଲପୁରର ଝିଅ ମୀନତି ପଟ୍ଟନାୟକ ବାହା ହୋଇଥିଲେ କଟକ ସୂତାହାଟ ଅଞ୍ଚଳରେ। ବେଶ୍ ସ୍ୱଚ୍ଛଳ ପରିବାର ତାଙ୍କର । ହେଲେ ବର୍ଷକ ଭିତରେ ସବୁ ବଦଳିଗଲା ତାଙ୍କ ପାଇଁ । ୨୦୨୦ରେ ସ୍ୱାମୀ କୃଷ୍ଣକୁମାର ପଟ୍ଟନାୟକଙ୍କ ପରଲୋକ ହୋଇଥିଲା । ଝିଅ କମଲ କୁମାରୀ ପଟ୍ଟନାୟକଙ୍କ ମୁହଁକୁ ଚାହିଁ ମୀନତି ବାକି ଜୀବନ ବିତାଇଦେବେ ବୋଲି ଭାବିଥିଲେ । ଝିଅ ବି ବିବାହ କରିବ ନାହିଁ ବୋଲି ସ୍ଥିର କରିଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ଝିଅ କମଲ୍ଙ୍କ ହୃଦଘାତରେ ମୃତ୍ୟୁ ହୋଇଗଲା । ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମୀନତି ।

୩ ମହଲା ବିଶିଷ୍ଟ ଏତେ ବଡ଼ ଘରେ ଏକୁଟିଆ ଅସହାୟ ଭାବେ ଦିନ କାଟୁଥିଲେ। ବନ୍ଧୁବାନ୍ଧବ, ସମ୍ପର୍କୀୟ କେହି ପଚାରିଲେ ନାହିଁ । ଏ ସମୟରେ ରିକ୍ସା ଚାଳକ ବୁଢ଼ା ସାମଲ ମୀନତିଙ୍କ ପାଖରେ ଠିଆ ହେଲେ। ପଟ୍ଟନାୟକ ପରିବାର ସହିତ ବୁଢ଼ା ସାମଲଙ୍କ ସମ୍ପର୍କ ଦୀର୍ଘ ବର୍ଷର। ଘରର ବୋଲ କରିଥାନ୍ତି। ଝିଅକୁ ସ୍କୁଲ୍ ନେବା ଆଣିବା ଠାରୁ ଆରମ୍ଭ କରି କୃଷ୍ଣକୁମାରଙ୍କ ଔଷଧ ଆଣିବା ପର‌୍ୟ୍ୟନ୍ତ ସବୁକିଛି ବୁଢା ସାମଲ କରିଆସୁଥିଲେ। ବୁଢ଼ା ଓ ତାଙ୍କ ପରିବାର ସଦସ୍ୟଙ୍କ ଆଚାର ବ୍ୟବହାର, ସେବା ଯତ୍ନରେ ମୀନତି ଏତେ ଖୁସି ହୋଇଗଲେ ଯେ, ନିଜ ସମ୍ପତ୍ତି ଏହି ପରିବାରକୁ ଦେବାକୁ ନିଷ୍ପତ୍ତି ନେଇଥିଲେ । ପାଖ ପଡ଼ୋଶୀମାନେ ବି ଏଥିରେ ଆପତ୍ତି କଲେ ନାହିଁ । ସମସ୍ତଙ୍କ ସହ ପରାମର୍ଶ କରି ମୀନତି ନିଜ ନାମରେ ଥିବା ପ୍ରାୟ ୧ ଗୁଣ୍ଠ ଜମି, ୩ ମହଲା ଘର, ଅନ୍ୟାନ୍ୟ ସଂପତ୍ତିକୁ ବୁଢ଼ା ସାମଲଙ୍କ ନାଁରେ ଲେଖିଦେଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।