ଯିଏ ଅଗ୍ନିବୀର ପାଇଁ ଆବେଦନ କରିବ ତାକୁ ସାମାଜିକ ବାସନ୍ଦ କରାଯିବ: ଖାପ୍ ପଞ୍ଚାୟତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏହା ମଧ୍ୟରେ ଖାପ ପଞ୍ଚାୟତ ଏନେଇ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ଯିଏ ଅଗ୍ନିବୀର ପାଇଁ ଆବେଦନ କରିବ ତାକୁ ସାମାଜିକ ବାସନ୍ଦ କରାଯିବ ବୋଲି ନିଷ୍ପତ୍ତି ନେଇଛି ଖାପ ପଞ୍ଚାୟତ। ଏପରିକି ବିଜେପି ଏବଂ ଜନନାୟକ ଜନତା ପାର୍ଟିର ନେତାଙ୍କୁ ଏହି ଯୋଜନାର ବିରୋଧ କରିବାକୁ ଆହ୍ଵାନ କରିଛନ୍ତି ଖାପ୍ ନେତା। ଯୋଜନାର ସମର୍ଥନ କରୁଥିବା କର୍ପୋରେଟ୍ ଏବଂ ଉଦ୍ୟୋଗପତିମାନଙ୍କୁ ମଧ୍ୟ ବିରୋଧ କରିବାକୁ ଖାପ୍ ଅପିଲ୍ କରିଛି। ଆନନ୍ଦ ମହିନ୍ଦ୍ରା ସମେତ ଅନେକ ବଡ ବଡ ଉଦ୍ୟୋପଗତି ଏହି ଯୋଜନାର ସମର୍ଥନ କରିଛନ୍ତି। ସେପଟେ ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲା ଟାଉନରେ ଖାପ ପଞ୍ଚାୟତ ଏବଂ କିଛି ଅନ୍ୟ ସମୁଦାୟର ନେତାଙ୍କ ବୈଠକ ବସିଥିଲା। ବୈଠକରେ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶ ପରି ରାଜ୍ୟର ନେତା ସାମିଲ୍ ହୋଇଥିଲେ।

କିଛି ଛାତ୍ର ସଂଗଠନ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ବୈଠକର ଅଧ୍ୟକ୍ଷତା କରିଥିବା ଧନଖଡ ଖାପର ନେତା ଓପି ଧନଖଡ କହିଛନ୍ତି ଯିଏ ଏହି ଯୋଜନା ଆଧାରରେ ଚାକିରି ପାଇଁ ଆବେଦନ କରିବ ତାଙ୍କୁ ସମାଜରୁ ବାସନ୍ଦ କରାଯିବ। ଅଗ୍ନିବୀର ନାମରେ ଯୁବ ପିଢିଙ୍କୁ ଶ୍ରମିକ କରିବାକୁ ଉଦ୍ୟମ କରାଯାଉଥିବା ଖାପ୍ ନେତା କହିଛନ୍ତି। କଣ ଏହି ସ୍କିମ ଆଧାରରେ ଆବେଦନ କରୁଥିବା ଲୋକଙ୍କୁ ବୟକଟ୍ କରାଯିବ ? ପ୍ରଶ୍ନର ଉତ୍ତରରେ ଧନଖଡ କହିଛନ୍ତି ଆମେ ବୟକଟ୍ ଶବ୍ଦର ବ୍ୟବହାର କରିବାକୁ ଚାହୁଁନୁ। କିନ୍ତୁ ସାମାଜିକ ବାସନ୍ଦ କରାଯିବ। ଅପରପକ୍ଷେ ସେନା ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରି ସାରିଛି। ଏଥିପାଇଁ ଜୁଲାଇରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ଯୋଜନା ମୁତାବକ ଅଗ୍ନିବୀରଙ୍କ କାର୍ୟ୍ୟକାଳ ଚାରି ବର୍ଷ ରହିବ। ଚାକିରି ସରିବା ପରେ ୭୫ ପ୍ରତିଶତଙ୍କୁ ସେବାମୁକ୍ତ କରାଯିବ। ବାକି ୨୫ ପ୍ରତିଶତଙ୍କୁ ନିୟମିତ ସୈନିକ ଭାବେ ନିଯୁକ୍ତି ଦିଆଯିବ।

Related Posts