କଂଗ୍ରେସ ପରାଜୟର ପ୍ରଭାବ!; ‘ଇଣ୍ଡିଆ’ ବୈଠକକୁ ଆସିବାକୁ ନେତା ଅମଙ୍ଗ, ଘୁଞ୍ଚିଲା ବୈଠକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି (୬ ଡ଼ିସେମ୍ବର) ବସିଥାଆନ୍ତା ‘ଇଣ୍ଡିଆ’ ମେଣ୍ଟ ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବାକୁ ମନା କରିବାରୁ ବୈଠକ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ତିନି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଦଳର ପରାଜୟ ପରେ ଏବେ ମେଣ୍ଟର ଅନ୍ୟ ଦଳମାନେ ବୈଠକକୁ ଆସିବାକୁ ପଛଘୁଞ୍ଚା ଦେଇଥିଲେ |

ଖବର ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ‘ଇଣ୍ଡିଆ’ ଆଲାଏନ୍ସ ବୈଠକରେ ଯୋଗ ଦେଇପାରିବେନି ବୋଲି କହିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନୁପସ୍ଥିତ ରହିବା ନେଇ ଜଣାଇଥିଲେ। କିନ୍ତୁ ଏହି ନେତାମାନେ ସେମାନଙ୍କର ପ୍ରତିନିଧୀଙ୍କୁ ବୈଠକକୁ ପଠାଇବେ ବୋଲି କହିଥିଲେ। ହେଲେ ବିଭିନ୍ନ ଦଳର ମୁଖିଆଙ୍କ ଉପସ୍ଥିତି ବିନା ବୈଠକ ନିରର୍ଥକ ହୃଦୟଙ୍ଗମ କରି ଏପରି ନିଷ୍ପତ୍ତି ନିଆଯାଇଛି। ‘ଇଣ୍ଡିଆ’ ମେଣ୍ଟ ଗଠନ ପରଠୁ ବିରୋଧୀ ମେଣ୍ଟ ଦଳକୁ ନେଇ ତିନି ଥର ବୈଠକ ବସି ସାରିଲାଣି। ଆସନ୍ତାକାଲି ଦିଲ୍ଲୀରେ ମେଣ୍ଟର ଚତୁର୍ଥ ବୈଠକ ବସିଥାନ୍ତା ହେଲେ କଂଗ୍ରେସର ପରାଜୟର ପ୍ରଭାବରେ ଏବେ ବୈଠକକୁ ଘୁଞ୍ଚାଇବାକୁ ପଡିଛି ବୋଲି କୁହାଯାଉଛି। ତେବେ ମେଣ୍ଟର ପରବର୍ତ୍ତୀ ବୈଠକ କେବେ ଓ କେଉଁଠି ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ |

Related Posts