ଇମ୍ରାନ ଖାନଙ୍କ ବଡ଼ ଘୋଷଣା, ମଙ୍ଗଳବାର ଆକ୍ରମଣ ସ୍ଥଳରୁ ପୁଣିଥରେ ବାହାରିବ ରାଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କ ଦଳ ପାକିସ୍ତାନ ତହରିକ-ଏ ଇନସାଫ (ପିଟିଆଇ) ମଙ୍ଗଳବାର ଇସଲାମାବାଦକୁ ପୁଣି ସେହି ସ୍ଥାନରୁ ରାଲି ଆରମ୍ଭ କରିବ, ଯେଉଁ ଅଞ୍ଚଳରେ ରାଲି ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଏହି ଗୁଳିକାଣ୍ଡ ଘଟଣାରେ ଇମ୍ରାନ ଖାନଙ୍କ ବ୍ୟତୀତ ଆଉ ଅନ୍ୟ ୧୧ ଜଣ ମଧ୍ୟ ଆହତ ହୋଇଥିଲେ ଏବଂ ଜଣେ ସମର୍ଥକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ପୁନର୍ବାର ଆରମ୍ଭ ହେବାକୁଥିବା ଏହି ରାଲିରେ ଇମ୍ରାନ ଖାନ ମଧ୍ୟ କେବେ ଓ କେଉଁଠି ସାମିଲ ହେବେ ସେ ବିଷୟରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗୁଳି ବାଜିବା ପରେ ଗୁରୁବାର ଇମ୍ରାନ ଖାନଙ୍କର ଅପରେସନ ହୋଇଥିଲା। ଏହାପରେ ଏକ ଭିଡ଼ିଓ ଜାରି କରି ଇମ୍ରାନ କହିଛନ୍ତି ଯେ, ଆମେ ସ୍ଥିର କରିଛୁ କି ଆମର ରାଲି ମଙ୍ଗଳବାର ବଜିରାବାଦରେ ସେହି ସ୍ଥାନରୁ ପୁଣି ଆରମ୍ଭ ହେବ, ଯେଉଁଠି ମୋତେ ଓ ମୋର ୧୧ ଜଣ କର୍ମୀଙ୍କୁ ଗୁଳି କରାଯାଇଥିଲା, ସେଠାରେ ମୋଅଜ୍ଜମ ସହିଦ ହୋଇଥିଲେ। ସେ ରାଲିକୁ ନେଇ କହିଛନ୍ତି ଯେ, ମଙ୍ଗଳବାର ମୁଁ ଏଠାରୁ (ଲାହୋରରେ) ରାଲିକୁ ସମ୍ୱୋଧିତ କରିବି ଓ ଆମର ରାଲି ଆଗାମୀ ୧୦ରୁ୧୪ ଦିନ ଭିତରେ ରାୱଲପିଣ୍ଡିରେ ପହଞ୍ଚିଯିବ। ରାଲି ରାୱଲପିଣ୍ଡିରେ ପହଞ୍ଚିବା ପରେ ସେ ପୁଣି ଏଥିରେ ସାମିଲ ହେବେ ଓ ନିଜେ ଏହାର ନେତୃତ୍ୱ ନେବେ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ସରକାରଙ୍କ ବିରୋଧରେ ଇମ୍ରାନ ଖାନ ଓ ତାଙ୍କ ଦଳ ଏକ ରାଲି କରୁଥିବା ସମୟରେ ତାଙ୍କ ଉପରେ ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିଲା। ଏହି ଗୁଳିକାଣ୍ଡରେ ଇମ୍ରାନ ଖାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ସେ ସେତେବେଳେ ଏହି ରାଲିର ନେତୃତ୍ୱ ନେଉଥିଲେ। ଇମ୍ରାନଙ୍କ ଉପରେ ହମଲା ବେଳେ ଗୁଳି ବାଜିବାରୁ ପିଟିଆଇ କାର୍ଯ୍ୟକର୍ତ୍ତା ମୋଅଜ୍ଜମ ଗୋଣ୍ଡଲଙ୍କର ମୃତ୍ୟୁ ହୋଇ ଯାଇଥିଲା ଓ ୧୧ ଜଣ ଆହତ ହୋଇଥିଲେ। ହମଲା ପରେ ଏହି ରାଲିକକୁ ସ୍ଥଗିତ କରିଦିଆ ଯାଇଥିଲା।

Related Posts